କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲା: ଦଣ୍ଡ ଘୋଷଣା ୨୬କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡ ଘୋଷଣା ୨୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ଗତ ଅଗଷ୍ଟ ୬ ତାରିଖରେ ମାମଲାର ଶୁଣାଣି କରି ବିଚାରପତି ଭରତ ପରଶର ଆଜି ଦଣ୍ଡଘୋଷଣା ପାଇଁ ଦିନଧାର୍ଯ୍ୟ କରିଥିଲେ। ଏହି ମାମଲାରେ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଆଜି ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ମାମଲାର ଶୁଣାଣି କରାଯାଇଥିଲା। ପାଖାପାଖି ୩୦ ମିନିଟ୍‌ ଧରି ଚାଲିଥିବା ଏହି ଶୁଣାଣିରେ ସିବିଆଇର ଦୁଇ ଜଣ ପ୍ରସିକ୍ୟୁଟର୍‌ ଦିଲ୍ଲୀପ ରାୟଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଅପରପକ୍ଷେ, ଅଭିଯୁକ୍ତଙ୍କ ବୟସ, ସ୍ବାସ୍ଥ୍ୟ ଓ ପାରିବାରିକ ଦାୟିତ୍ବ ସହ ଅତୀତରେ ନଥିବା ଅପରାଧିକ ପୃଷ୍ଠଭୂମିକୁ ଭିତ୍ତିକରି ସେମାନଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ସ୍ବଳ୍ପ ଦଣ୍ଡାଦେଶ ପାଇଁ ଯୁକ୍ତି ଦର୍ଶାଇଥିଲେ। ଦିଲ୍ଲୀପଙ୍କ ପକ୍ଷରୁ ଆଇନଜୀବୀ ମନ ଶର୍ମା ଯୁକ୍ତି ଉପସ୍ଥାପନ କରିଥିଲେ। ଆଇନଜୀବୀଙ୍କ ଯୁକ୍ତି ଉପସ୍ଥାପନ ପରେ ବିଚାରପତି ରାୟକୁ ସଂରକ୍ଷିତ ରଖିବା ସହିତ ଦଣ୍ଡାଦେଶ ଘୋଷଣା ପାଇଁ ଆଗାମୀ ୨୬ ତାରିଖକୁ ଦିନଧାର୍ଯ୍ୟ କରିଥିଲେ। ସେହିଦିନ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର