ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା: କରୋନା ସମ୍ପୂର୍ଣ୍ଣ ବିଭ୍ରାଟମୟ ବିପର୍ଯ୍ୟୟ ପାଲଟିଛି

ୱାସିଂଟନ୍: ଅଦ୍ୟାବଧି ଆମେରିକାର ପ୍ରାୟ ସାଢେ଼ ୧୩ ଲକ୍ଷରୁ ଅଧିକ ନାଗରିକଙ୍କୁ ଘାଇଲା କରିବା ସହ ୮୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍–୧୯ର ପରିଚାଳନା ନେଇ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପ୍ରାକ୍ତନ ରଷ୍ଟ୍ରପତି ବାରାକ୍ ଓବାମା ଖୁବ୍ ବର୍ଷିଛନ୍ତି। ଏପରିକି ଟ୍ରମ୍ପଙ୍କ ଅଦୂରଦର୍ଶିତା ଯୋଗୁଁ ଏହି ମହାମାରୀ ଆମେରିକାରେ ସମ୍ପୂର୍ଣ୍ଣ ବିଭ୍ରାଟମୟ ବିପର୍ଯ୍ୟୟ ପାଲଟିଛି। ଅନ୍ୟମାନଙ୍କୁ ନ୍ୟୂନ କରି କାହାକୁ ବିଶ୍ବାସକୁ ନନେଇ ଏକଚାଟିଆ ଭାବେ ନିଜର ଆଭିମୁଖ୍ୟ ପୋଷଣ କରିବାର ପରିଣାମକୁ ଏବେ ଦେଶବାସୀ ହିଁ ଭୋଗୁଛନ୍ତି।

ସେଥିଯୋଗୁଁ ବିଶ୍ବସ୍ତରୀୟ ଏହି ସଂକଟଜନକ ସ୍ଥିତିର ଦେଶ ଭିତରେ ସମୟୋଚିତ ମୁକାବିଲା ଠିକ୍‌ରେ ହୋଇପାରିଲାନି। ରାଷ୍ଟ୍ରମୁଖ୍ୟଙ୍କର ଏପ୍ରକାର ମାନସିକତା ଯୋଗୁଁ ବିଶ୍ବର ଶ୍ରେଷ୍ଠ ଦେଶକୁ ବି ସବୁଠୁ ଖରାପ ସ୍ଥିତି ସାମନା କରିବାକୁ ପଡ଼ୁଛି ବୋଲି ଓବାମା ପରୋକ୍ଷରେ ଟ୍ରମ୍ପ୍‌ଙ୍କୁ ଆକ୍ଷେପ କରିଛନ୍ତି। ନିଜ ଶାସନ ବେଳର ୩୦୦୦ କର୍ମଚାରୀଙ୍କୁ ଶୁକ୍ରବାର ଉଦ୍‌ବୋଧନ ଦେଇ ଓବାମା ଆଗାମୀ ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ତଥା ତାଙ୍କ ସମୟର ଉପରାଷ୍ଟ୍ରପତି ଜୋ ବିଡେନ୍‌ଙ୍କୁ ସମର୍ଥନ କରିବା ପାଇଁ ଆହ୍ବାନ କରିଥିଲେ। ସୂଚନାଥାଉ କି, ଉକ୍ତ ନିର୍ବାଚନରେ ଟ୍ରମ୍ପ୍ ମଧ୍ୟ ପୁନର୍ନିର୍ବାଚିତ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସମ୍ବନ୍ଧିତ ଖବର