ତିତ୍‌ଲି ବାତ୍ୟା କ୍ଷୟକ୍ଷତି : ଆନ୍ଧ୍ରକୁ ମିଳିଲା, ଓଡ଼ିଶାକୁ ଦେଲେନି

ତିତ୍‌ଲି ପାଇଁ ଆନ୍ଧ୍ରକୁ ୫୩୯.୫୨ କୋଟି ଅତିରିକ୍ତ ସହାୟତା, କେରଳ ବନ୍ୟା ଓ ନାଗାଲାଣ୍ଡ ଭୂସ୍ଖଳନ ପାଇଁ ବି ଅର୍ଥ ଦେଲେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ତମ୍ବିତୋଫାନ କରୁଥିବା ବେେଳ ଆଜି ଏହି ଆନ୍ଦୋଳନକୁ ଖୋରାକ ମିଳିଛି। ତିତ୍‌ଲି ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ କ୍ଷୟକ୍ଷତି ଅନୁଧ୍ୟାନ କରିବା ଏକ ମାସରୁ ଊର୍ଦ୍ଧ୍ବ ହୋଇ ଯାଇଥି‌ଲେ ମଧ୍ୟ ଓଡ଼ିଶାକୁ ସହାୟତା ରାଶି ଘୋଷଣା କରାଯାଇନାହିଁ। କିନ୍ତୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ବନ୍ୟା, ଭୂସ୍ଖଳନ ଓ ତିତିଲି ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ଯଥାକ୍ରମେ କେରଳ, ନାଗାଲାଣ୍ଡ୍‌ ଓ ଆନ୍ଧ୍ରପ୍ରଦେଶକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ପାଇଁ ଅର୍ଥରାଶି ମଂଜୁର କରାଯିବା ସୂଚନା ମିଳିଛି।

ଉଚ୍ଚସ୍ତରୀୟ କମିଟି ଏନ୍‌ଡିଆରଏଫ୍‌ରୁ ଅତିରିକ୍ତ ସହାୟତା ପାଇଁ ମଂଜୁରି ପ୍ରଦାନ କରିଛନ୍ତି। ତିତ୍‌ଲି କ୍ଷୟକ୍ଷତି ପାଇଁ ଆନ୍ଧ୍ରପ୍ରଦେଶକୁ ୫୩୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିବ। ସେହିଭଳି କେରଳକୁ ବନ୍ୟା କ୍ଷୟକ୍ଷତି ପାଇଁ ୩୦୪୮.୩୯ କୋଟି ଟଙ୍କା ତଥା ନାଗାଲାଣ୍ଡ୍‌କୁ ଭୂସ୍ଖଳନ ପାଇଁ ୧୩୧.୧୬ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଁ ଉଚ୍ଚ ସ୍ତରୀୟ କମିଟି ମଂଜୁରି ପ୍ରଦାନ କରିଛନ୍ତି। ହେଲେ ଓଡ଼ିଶା ସରକାର ୨୭୮୦ େକାଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ ହେଁ, ଟଙ୍କାଟିଏ ସହାୟତା ରାଶି ଘୋଷଣା କରାଯାଇନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି, କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ, କେନ୍ଦ୍ର ଗୃହ ସଚିବ ରାଜୀବ ଗ୍ବାବା ଏବଂ କେନ୍ଦ୍ର ଗୃହ, ଅର୍ଥ ଓ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

ସୂଚନାନୁଯାୟୀ ଆଜିର ଉଚ୍ଚ ସ୍ତରୀୟ କମିଟି ବୈଠକରେ କେବଳ ୩ଟି ରାଜ୍ୟର କ୍ଷୟକ୍ଷତି ନେଇ ସହାୟତା ରାଶି ନେଇ ଆଲୋଚନା ଓ ନିଷ୍ପତ୍ତି େହାଇଛି। ଓଡ଼ିଶା ସମ୍ପର୍କରେ କୌଣସି ଆଲୋଚନା ବି ହୋଇନି। ଗତ ନଭେମ୍ବର ମାସରେ ଓଡ଼ିଶାରେ ବାତ୍ୟା ତିତିଲି ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର କ୍ଷୟକ୍ଷତି ଅନୁଧ୍ୟାନ ଓ ଆକଳନ ପାଇଁ କେନ୍ଦ୍ରର ଏକ ୭ ଜଣିଆ ଟିମ୍‌ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଏସ୍‌ କେ ସାହିଙ୍କ ନେତୃତ୍ବରେ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଓଡ଼ିଶା ପକ୍ଷରୁ ଏନ୍‌ଡିଆରଏଫ୍‌ରୁ ୧ ହଜାର କୋଟି ଟଙ୍କା ସହାୟତା ଲୋଡ଼ା ଯାଇଥିଲା। ଏହାବାଦ୍‌ ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଆକଳନ କରିଥିବା ୨୭୮୦ କୋଟି ଟଙ୍କାର ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ କେନ୍ଦ୍ର ସରକାର ଏସ୍‌ଡିଆରଏଫ୍‌ ପାଣ୍ଠିରୁ ୩୮୯.୨୫ କୋଟି ଟଙ୍କା ନ‌ଭେମ୍ବର ଦ୍ବିତୀୟ ସପ୍ତାହରେ ମଂଜୁରି କରିଥିବାବେଳେ ଏନ୍‌ଡିଆରଏଫ୍‌ ପାଣ୍ଠିରୁ ବର୍ତ୍ତମାନ ସୁଦ୍ଧା ଅର୍ଥ ମଂଜୁର କରାଯାଇନି।

ସମ୍ବନ୍ଧିତ ଖବର