ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଲା ସୂଚନା

ଶ୍ରୀନଗର: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସମୁଦ୍ରପଥରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଓଡିଶାର ୪୮୦ କିଲୋମିଟର ସାମୁଦ୍ରିକ ପଥରେ ଥିବା ୭ ଜିଲ୍ଲାର ଏସପିମାନଙ୍କୁ ଗୃହବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏହାକୁ ଭିତ୍ତି କରି ପୁରୀ ଜିଲ୍ଲାର ୭ଟି ସାମୁଦ୍ରିକ ଥାନାରେ ଜଳପଥ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସାମୁଦ୍ରିକ ଥାନା ପୋଲିସ ସହିତ ତଟରକ୍ଷୀ କର୍ମଚାରୀ ମିଳିତ ଭାବେ ଉପକୂଳକୁ ସୁରକ୍ଷା ଦେଉଛନ୍ତି। ଇଂଟରସେପ୍ଟଟ ସ୍ପିଡ ବୋଟରେ ଚାଲିଛି ପାଟ୍ରୋଲିଂ।

ଏଥିରେ ନୌସେନାର ଅବସରପ୍ରାପ୍ତ ୮ଜଣ ସଦସ୍ୟଙ୍କ ସହିତ ସାମୁଦ୍ରିକ ଥାନାର ପୋଲିସ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି। ଜଳପଥରେ ଆତଙ୍କବାଦୀ ହମଲା ଏବଂ ଅନୁପ୍ରବେଶକୁ ପ୍ରତିହତ କରିବାପାଇଁ ନିୟମିତ ଭାବେ ଏହି ପାଟ୍ରୋଲିଂ କରାଯାଉଛି। ମତ୍ସ୍ୟଜୀବୀମାନେ ଜଳପଥରେ ସନ୍ଦେହଜନକ ଅବସ୍ଥାରେ କୌଣସି ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଥାନାକୁ ଖବର ଦେବାପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଚିଲିକା ନୌସେନାର କ୍ୟାପଟେନଙ୍କ ନେତୃତ୍ୱରେ ଏକ ଟିମ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କୁ ଏ ସମ୍ପର୍କରେ ସଚେତନ କରାଇଛନ୍ତି।

ସମ୍ବନ୍ଧିତ ଖବର