ବିମୁଦ୍ରାୟନର ଦ୍ୱିତୀୟ ବାର୍ଷିକୀ: ମନମୋହନ ବନାମ ଜେଟଲୀ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିମୁଦ୍ରାୟନ ଘୋଷଣାର ଦ୍ୱିତୀୟ ବାର୍ଷିକୀରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ନୋଟବନ୍ଦୀ ବିରୋଧରେ ପ୍ରତିବାଦ କରିବାକୁ ଟୁଇଟର୍‌ ଅଭିଯାନ ଆରମ୍ଭ କରିଛି। ଅର୍ଥନୀତିରେ ଏହାର ସୁପ୍ରଭାବ ସବୁ ତାଲିକା କରି ବିଜେପି ତୁରନ୍ତ ସେମାନଙ୍କ ଯୁକ୍ତି ବିପକ୍ଷରେ ପ୍ରତିଯୁକ୍ତି ଉପସ୍ଥାପନ କରିଛି।

‘ବିମୁଦ୍ରାୟନ ଦ୍ୱାରା ବିନାଶ’ ବୋଲି କଂଗ୍ରେସ ଟୁଇଟ୍‌ କରିଥିବା ବେଳେ ବିଜେପି କଂଗ୍ରେସ ବିରୋଧରେ ଅଭିଯାନ ଆରମ୍ଭ କରିଛି: ‘କଂଗ୍ରେସ ବିମୁଦ୍ରାୟନକୁ ଡରେ’।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ବାକ୍‌ ଯୁଦ୍ଧ ଆରମ୍ଭ କରି ନୋଟବନ୍ଦୀ ଅଭିଯାନ ବିଷୟରେ ବିବୃତି ଦେଇଛନ୍ତି।

ବିମୁଦ୍ରାୟନ ଅଭିଯାନ ଦ୍ୱାରା ଭାରତୀୟ ଅର୍ଥନୀତିକୁ ଧ୍ୱଂସ କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଇସ୍ତଫା ଦାବି କରି କଂଗ୍ରେସ ଦେଶବ୍ୟାପୀ ପ୍ରତିବାଦ ଯୋଜନା କରିଛି।

୨୦୧୬ରେ ବିମୁଦ୍ରାୟନ ପରବର୍ତ୍ତୀ କାଳରେ ଲୋକେ ଟଙ୍କା ଉଠାଣ ପାଇଁ ଧାଡ଼ିବାନ୍ଧି ଠିଆ ହୋଇଥିବାର ଦୃଶ୍ୟ ସମ୍ବଳିତ ମେମେ ଓ ଫଟୋ ପୋଷ୍ଟ୍‍ କରି କଂଗ୍ରେସ ବିଜେପି ସରକାରଙ୍କୁ ଆକ୍ରମଣ କରିବାକୁ ବାହାରିଛି।

ବିମୁଦ୍ରାୟନ ଅର୍ଥନୀତିକୁ ଧକ୍କା ଦେଇଥିବା ଦୁର୍ଭାଗ୍ୟ ଏବଂ ମନ୍ଦ ଭାବନା ସମ୍ପନ୍ନ ପଦକ୍ଷେପ ଯେଉଁଥିରୁ ଏଯାଏଁ ମୁକ୍ତି ମିଳିନାହିଁ ବୋଲି ଏକ ପ୍ରେସ୍‌ ବିବୃତିରେ ମନମୋହନ ସିଂହ କହିଛନ୍ତି।

କଂଗ୍ରେସ ନେତା ଶଶି ଥରୁର ଲେଖିଛନ୍ତି ନୋଟବନ୍ଦୀ ଯୋଗୁଁ ନୂତନ ମୁଦ୍ରା ଛାପିବାକୁ ୮୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧. ୫ ଚାକିରି ଗଲା ଏବଂ ୧୦୦ ଜୀବନହାନି ଘଟିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦ୍‌ମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଟୁଇଟର୍‌ରେ ଲେଖିଛନ୍ତି: ମୋଦି ସରକାରଙ୍କ ଆର୍ଥିକ ଦୁର୍ନୀତିର ତାଲିକା ଅନ୍ତହୀନ ହୋଇଥିବା ବେଳେ ବିମୁଦ୍ରାୟନ ହେଉଛି ଭାରତୀୟ ଅର୍ଥନୀତିରେ ସ୍ୱୟଂ ସୃଷ୍ଟ ଗଭୀର କ୍ଷତ। ଦେଶକୁ କାହିଁକି ଏ ଭଳି ଦୁର୍ଦିନକୁ ଠେଲି ଦିଆଗଲା? ଦୁଇ ବର୍ଷ ପରେ ବି ତାହା ରହସ୍ୟାବୃତ ହୋଇ ରହିଛି।

କଂଗ୍ରେସର ମନୀଷ ତେଓ୍ଵାରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ କ୍ଷମାଭିକ୍ଷା ଆଶା କରି ଆଜି ମୁକ୍ତିଲାଭ କରିଥିବା ‘ଠଗ୍‌ସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ ସିନେମାର ଦାୟିକା ଦେଇ ସରକାରଙ୍କୁ ସମାଲୋଚନା କରିଛନ୍ତି।

ତେଓ୍ଵାରି ଲେଖିଛନ୍ତି: ବିମୁଦ୍ରାୟନର ଦ୍ୱିତୀୟ ବର୍ଷ ଠଗ୍‌ସ୍‌ ଅଫ୍‌ ହିନ୍ଦୋସ୍ତାନ୍‌ ମୁକ୍ତିଲାଭ କରିବା କ’ଣ କାକତାଳୀୟ ଘଟନା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୨୦୧୬ ନଭେମ୍ବର ୮ ତାରିଖକୁ ‘କଳା ଦିବସ’ ବୋଲି କହିଛନ୍ତି।

ଏ ସବୁ ବିବୃତିର ଉତ୍ତରରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଲେଖିଛନ୍ତି: ଅର୍ଥନୀତିକୁ ଔପଚାରିକ କରିବା ନିମନ୍ତେ ସରକାର ଗ୍ରହଣ କରିଥିବା ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୃଙ୍ଖଳର ପ୍ରମୁଖ ପଦକ୍ଷେପ।

ଆର୍ଥିକ ସମ୍ପୃକ୍ତି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ଦୁର୍ବଳ ଶ୍ରେଣୀ ମଧ୍ୟ ଅର୍ଥନୀତିର ଅଂଶବିଶେଷ ହୋଇ ପାରିଛନ୍ତି।

ସେ ଆହୁରି କହିଛନ୍ତି: ସବୁ ନଗଦ ଟଙ୍କା ବ୍ୟାଙ୍କ୍‌ରେ ଜମା ହୋଇଯାଇ ଥିବା କଥା ବିମୁଦ୍ରାୟନ ସଂକ୍ରାନ୍ତରେ ଭୁଲ୍‌ ସୂଚନା ପ୍ରାପ୍ତ ସମାଲୋଚନା। ଅର୍ଥ ବ୍ୟାଜାପ୍ତି ବିମୁଦ୍ରାୟନର ଉଦ୍ଦେଶ୍ୟ ନ ଥିଲା। ଏହାର ବାସ୍ତବ ଲକ୍ଷ୍ୟ ଥିଲା ଔପଚାରିକ ଅର୍ଥନୀତିରେ ପ୍ରବେଶ କରିବା ଏବଂ ଅର୍ଥଧାରୀଙ୍କୁ ଠାରୁ ଟିକସ ଆଦାୟ କରିବା।

ବିମୁଦ୍ରାୟନ ଯୋଗୁଁ ନଗଦ ଟଙ୍କା କାରବାର କମି ଡିଜିଟାଲ୍‌ କାରବାର ବୃଦ୍ଧି ପାଇଥିବା କଥା ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର