ଖୋଲିଲା ମଲ୍‌, ହୋଟେଲ, ଧାର୍ମିକ ପୀଠ

ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା‌ କଲେ ଯୋଗୀ

ଲକ୍ଷ୍ନୌ : ଦେଶରେ ଅନ୍‌ଲକ୍‌ ୱାନ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥି ଅନ୍ତର୍ଗତ ଆଜି ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ସପିଂ ମଲ୍‌, ରେସ୍ତୋରାଁ, ହୋଟେଲ, ମନ୍ଦିର ଓ ମସଜିଦ୍‌ ଆଦି ଖୋଲିଛି। କଠୋର କଟକଣା ଭିତରେ ଏସବୁକୁ ଖୋଲାଯାଇଛି। ହୋଟେଲରେ ଅତିଥିମାନଙ୍କୁ ଜ୍ବର ହୋଇଛି କି ନାହିଁ ସେଥିପାଇଁ ତାପମାତ୍ରା ମପାଯିବ। ସେହିଭଳି ରେସ୍ତୋରାଁ ଗୁଡ଼ିକରେ ଟେବୁଲ ଗୁଡ଼ିକୁ ଦୂରତାରେ ରଖାଯିବ। ‌ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏହା କରାଯିବ। ସେହିଭଳି ଧାର୍ମିକ ପୀଠକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିବା ପୂର୍ବରୁ ଗୋଡ଼ ହାତ ଧୋଇବେ। ପୀଠରେ ପ୍ରସାଦ ବଣ୍ଟନ, ପବିତ୍ର ଜଳ ସିଞ୍ଚନ, ମୂର୍ତ୍ତି ଓ ପୁସ୍ତକ ଆଦିକୁ ଛୁଇଁବାକୁ ବାରଣ କରାଯାଇଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳି ଢାଞ୍ଚାରେ ଅନେକ ରାଜ୍ୟ ସରକାର ଏ ସଂକ୍ରାନ୍ତ ନିୟମାବଳୀ ଜାରି କରିଛନ୍ତି। ଦିଲ୍ଲୀରେ ମଲ, ରେସ୍ତୋରାଁ ଓ ଧାର୍ମିକ ପୀଠଗୁଡ଼ିକୁ ସୋମବାରଠାରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସମସ୍ତ ହୋଟେଲ ଓ ବାଙ୍କେଟ୍ ହଲ୍ ବନ୍ଦ ରହିବ। ହରିଆଣାର ଗୁରୁଗ୍ରାମ ଓ ଫରିଦାବାଦକୁ ଛାଡ଼ିଦେଲେ ଆଜିଠାରୁ ଧାର୍ମିକ ପୀଠ ଓ ସପିଂ ମଲ ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏହାବ୍ୟତୀତ ପ୍ରତିଷେଧମୂଳକ ବ୍ୟବସ୍ଥା ସହିତ ହରିଆଣାରେ ହୋଟେଲ, ରେସ୍ତୋରାଁ ଓ ଅନ୍ୟ ଆତିଥ୍ୟ ସ୍ଥଳୀଗୁଡ଼ିକୁ ଖୋଲିବା ଲାଗି ଅନମୁତି ମିଳିଛି। ସକାଳ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏସବୁ ଖୋଲାରହିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖନାଥ ମଠରେ ପୂଜାର୍ଚ୍ଚନା‌ କରିଛନ୍ତି। ଉତ୍ତରପ୍ରଦେଶରେ ଅନ୍ୟ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି। ମନ୍ଦିର ଓ ମସଜିଦ୍‌ ଖୋଲିବା ପୂର୍ବରୁ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। କୌଣସି ଶ୍ରଦ୍ଧାଳୁ ଭଗବାନଙ୍କ ପାଖରେ ପ୍ରସାଦ ଲଗାଇ ପାରିବେନି କି ଭଗବାନଙ୍କ ମୂର୍ତ୍ତି, ପବିତ୍ର ପୁସ୍ତକକୁ ଛୁଇଁବେନି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର