କୃଷି ଆଇନକୁ ବିରୋଧ, ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାହୁଲ

ସୁରକ୍ଷା ଭଙ୍ଗ ଅଭି‌ଯୋଗରେ ୬ ଜଣଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ନିଜର ଆନ୍ଦୋଳନ ପ୍ରଦର୍ଶନ କରି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି। ୱାୟନାଡ଼ ସାଂସଦ ରାହୁଲ ଆଜି ବିଜୟ ଛକ ଦେଇ ସଂସଦରେ ପ୍ରବେଶ କରିଥିଲେ। ରାହୁଲଙ୍କ ସାଙ୍ଗରେ ପଂଜାବ ଏବଂ ହରିୟାଣାର ଅନ୍ୟ କଂଗ୍ରେସ ସାଂସଦ ମଧ୍ୟ ଥିଲେ। ଆନ୍ଦୋଳନରତ ସାଂସଦମାନେ ହାତରେ ପ୍ଲାକାର୍ଡ ଧରି କୃଷି ଆଇନ ପ୍ରତ୍ୟାହାର ଦାବି କରିଥିଲେ। ରାହୁଲ ସଂସଦକୁ ଚଳାଇ ଯାଇଥିବା ଟ୍ରାକ୍ଟର ଆଗରେ ‘୩ କଳା କୃଷି ଆଇନକୁ ଉଚ୍ଛେଦ କର’ ବ୍ୟାନର ଲାଗିଥିଲା। ରାହୁଲ ଏନ୍‌-୯୫ ମାସ୍କ ପିନ୍ଧି ଟ୍ରାକ୍ଟରର ଡ୍ରାଇଭର୍‌ ସିଟ୍‌ରେ ବସିଥିବା ଦେଖିବାକୁ ମିଳିଛି। ପରେ ସାମ୍ବାଦିକଙ୍କୁ ଉଦ‌୍‌ବୋଧନ ଦେଇ ରାହୁଲ କହିଛନ୍ତି, କୃଷକଙ୍କ ସ୍ବରକୁ ଦବାଇ ଦିଆଯାଇଛି। ସଂସଦରେ କୃଷି ଆଇନ ସଂକ୍ରାନ୍ତରେ ଆଲୋଚନା ‌ହେଉନି। ତେଣୁ ସେ କୃଷକଙ୍କ ବାର୍ତ୍ତା ସଂସଦ ଆଣିଛନ୍ତି। କୃଷି ଆଇନକୁ କଳା ଆଇନ କହି ରାହୁଲ ଏହାର ଉଚ୍ଛେଦ ଦାବି କରିଛନ୍ତି। ରାହୁଲ କହିଛନ୍ତି, ଏହି କୃଷି ଆଇନ କେବଳ ୨-୩ ଜଣ ବଡ଼ ବ୍ୟବସାୟୀଙ୍କ ହିତ ପାଇଁ ହୋଇଛି ବୋଲି ସମଗ୍ର ଦେଶ ଜାଣିଛି।

ମିଳିଥିବା ସୂଚନାନୁଯାୟୀ ରାହୁଲ ଆଜି ସଂସଦ‌ରେ ପହଞ୍ଚିବାପରେ ଦିଲ୍ଲୀ ପୁଲିସ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂହ ସୁର୍ଯ୍ୟେୱାଲା , ଦୀପେନ୍ଦ୍ର ହୁଦାଙ୍କ ସମେତ ୬ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ସେମାନଙ୍କୁ ମନ୍ଦିର ମାର୍ଗ ପୁଲିସ ଷ୍ଟେସନ୍‌ ନିଆଯାଇଛି। ଧାରା ୧୪୪ର ଉଲ୍ଳଂଘନ ହୋଇଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର