ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ବିରୋଧୀ ସାଂସଦମାନେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ : ସରକାର

ସରକାର ଜାରି କଲେ ସିସିଟିଭି ଭିଡିଓ

ନୂଆଦିଲ୍ଲୀ : ରାଜ୍ୟସଭାରେ ଗତ ବୁଧବାର ହୋଇଥିବା ହଙ୍ଗାମାକୁ ନେଇ ଉଭୟ ଶାସକ ଓ ବିରୋଧ ଦଳ ପରସ୍ପରକୁ ଦୋଷାରୋପ କରିଛନ୍ତି । ଉଭୟ ପକ୍ଷ ପରସ୍ପର ଉପରେ ଗଣତନ୍ତ୍ରର ହତ୍ୟା କରୁଥିବା ଅଭିଯୋଗ ଆଣିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ବିରୋଧୀ ଦଳର ସାଂସଦମାନେ ମୌସୁମୀ ଅଧିବେଶନକୁ ଭଣ୍ଡୁର କରିବାକୁ ପୂର୍ବରୁ ଯୋଜନା କରିଆସିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀ କହିଛନ୍ତି ଯେ ବିରୋଧୀ ଦଳର ସାଂସଦମାନେ ସଦନର ଟେବୁଲ, ଚେୟାର ଭାଙ୍ଗିବା ସହ ମହିଳା ମାର୍ସାଲଙ୍କୁ ଦୁର୍ବ୍ୟବହାର କରିଥିଲେ । ନିଜର ଏହି ଅଭିଯୋଗକୁ ପ୍ରମାଣିତ କରିବାକୁ ସରକାରଙ୍କ ପକ୍ଷରୁ ଆଜି ଏକ ସିସିଟିଭି ଭିଡିଓ ଜାରି କରାଯାଇଛି । ଏଥିରେ ଦେଖାଯାଉଛି ଯେ  ବିରୋଧୀ ଦଳ ସାଂସଦମାନେ ଟେବୁଲ ଉପରେ ଛିଡ଼ା ହେବା ସହ ସଦନରେ ଥିବା ସୁରକ୍ଷାକର୍ମୀ (ମାର୍ସାଲ)ମାନଙ୍କୁ ଠେଲାପେଲା କରୁଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଦଳମାନଙ୍କ ପକ୍ଷରୁ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ପ୍ରତିବାଦ ସଭା ଆୟୋଜନ କରି ଅଭିଯୋଗ କରାଯାଇଛି ଯେ ସଦନରେ ସେମାନଙ୍କୁ କହିବାକୁ ଦିଆଯାଉନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଦଳର ସାଂସଦମାନଙ୍କୁ ସଦନ ଭିତରେ ଆକ୍ରମଣ କରାଯାଇଛି । ସଂସଦ ବାହାରର ସୁରକ୍ଷାକର୍ମୀ ଆଣି ଆକ୍ରମଣ କରାଯାଇଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର