୩୦ ହଜାର ଟପିଲା ଦୈନିକ ସଂକମ୍ରଣ: ଦିନକରେ ୨୨% ବୃଦ୍ଧି

ଓମିକନ୍‌ ଆକ୍ରାନ୍ତ ସଂଖ୍ୟା ୧୭୦୦ ଟପିଲା, କର୍ଣ୍ଣାଟକରେ ସକ୍ରିୟ ମାମଲା ୧୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଆଜି ୩୩,୭୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ୨୨.୫ ପ୍ରତିଶତ ବଢ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ଏବେ ୧,୪୫,୫୮୨ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ମାମଲାରେ ୨୨,୭୮୧ ବୃଦ୍ଧି ହୋଇଛି। ୧୦,୮୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୯୫,୪୦୭। ଦେଶରେ ୨୩ ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୧ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବାବଳେ ଦିଲ୍ଲୀରେ ଓମିକ୍ରନ୍‌ ମାମଲା ୩୫୧ ରହିଛି। ଗତ ୨୪ ଘଣ୍ଟାରେ ୧୨୩ ଜଣଙ୍କ କରୋନାରେ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୮୧,୮୯୩କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୪୨ ପ୍ରତିଶତ ଅଛି। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୮.୨୦ ପ୍ରତିଶତ ରହିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ଲଗାତାର ଭାବେ ସଂକ୍ରମଣ ବଢ଼ୁଛି। ଦେଶରେ ୯ଟି ରାଜ୍ୟ ଏବଂ ୪ଟି ‌କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ପ୍ରଜାତି ଏଯାବତ ଚିହ୍ନଟ ହୋଇନାହିଁ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଓମିକ୍ରନ୍‌ ମାମଲା ଦେଖାଯାଇ ନାହିଁ। ସେହିପରି ମଣିପୁରକୁ ଛାଡ଼ିଦେଲେ ଉତ୍ତରପୂର୍ବାଞ୍ଚଳର ଅନ୍ୟ କୌଣସି ରାଜ୍ୟରେ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇନି। ଅର୍ଥାତ ଆସାମ, ମିଜୋରାମ, ମେଘାାଳୟ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ କୌଣସି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇନି। କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଦାଦ୍ରା ଏବଂ ନଗର ହାଭେଳି, ଡାମନ୍‌ ଏବଂ ଡିୟୁ, ଲାକ୍ଷାଦ୍ବୀପ ଏବଂ ପୁଡ଼ୁଚେରୀରେ ମଧ୍ୟ କୌଣସି ଓମିକ୍ରନ୍‌ ମାମଲା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି।

କର୍ଣ୍ଣାଟକରେ ସକ୍ରିୟ ମାମଲା ୧୦ ହଜାର ଟପିଲା
ବେଙ୍ଗାଲୁରୁ: ସେପ୍ଟେମ୍ବର ୨୦୨୧ ପରେ ଲଗାତାର ଭାବେ ସଂକ୍ରମଣ କମି ଚାଲିଥିବା କର୍ଣ୍ଣାଟକ‌ରେ ସକ୍ରିୟ ମାମଲା ବଢ଼ିଛି। କର୍ଣ୍ଣାଟକରେ ସକ୍ରିୟ ମାମଲା ୧୦ ହଜାର ଟପିଯାଇଛି। ଅକ୍ଟୋବର ୧୦ ପରେ ପ୍ରଥମ ଥର ପାଇଁ କର୍ଣ୍ଣାଟକର ସକ୍ରିୟ ମାମଲା ୧୦ ହଜାର ଉପରେ ରହିଛି। ଚିକିତ୍ସିତଙ୍କ ସଂଖ୍ୟା ବି ବଢ଼ୁଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି, ଖୁବ୍‌ କମ୍‌ ସଂଖ୍ୟକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅନିଲ କୁମାର ଟିକେ କହିଛନ୍ତି, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଆବଶ୍ୟକ ଆଇସିୟୁ ବେଡ୍‌, ଅକ୍ସି‌ଜେନ୍‌ ସିଲିଣ୍ଡର ଏବଂ ଔଷଧ ମହଜୁଦ ରହିଛି।

ସମ୍ବନ୍ଧିତ ଖବର