ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନରେ ବ୍ୟସ୍ତ ୪୯୦ ଲାଇଫ ଲାଇନ୍‌ ବିମାନ

ନୂଆଦିଲ୍ଲୀ : ଲାଇଫଲାଇନ ଉଡାଣ ଅଧୀନରେ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଇଣ୍ଡିଆନ ଏୟାର ଫୋର୍ସ ଏବଂ ଘରୋଇ ବିମାନର ସମନ୍ୱୟରେ ଲାଇଫଲାଇନ ବିମାନଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୪,୭୩,୬୦୯ କିଲୋମିଟର ଦୂରତା ଅତିକ୍ରମ କରିସାରିଲେଣି । କୋଭିଡ-୧୯ ବିରୋଧୀ ଲଢେଇରେ ସହାୟତା କରିବା ପାଇଁ ଦେଶର ଦୂରବର୍ତ୍ତୀ ଅଞ୍ଚଳକୁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ପହଞ୍ଚାଇବାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଏହି ବିମାନଗୁଡିକ ପରିଚାଳିତ ହେଉଛି। ଏପରିକି ‘ପବନ ହଂସ’ ହେଲିକପ୍ଟର ସେବା ଦ୍ୱାରା ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ଓ ରୋଗୀମାନଙ୍କୁ ପରିବହନ କରାଯାଉଛି। ପବନ ହଂସ ୮ ମେ’ ୨୦୨୦ ସୁଦ୍ଧା ୨.୩୨ ଟନ୍‌ କାର୍ଗୋ ସହିତ ୮୦୦୧ କିଲୋମିଟର ଦୂରତା ଅତିକ୍ରମ କରିଛି ।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ, ବ୍ଲୁ ଡାର୍ଟ, ଇଣ୍ଡିଗୋ ଏବଂ ଭିସ୍ତାରା ସଂସ୍ଥାଗୁଡ଼ିକ ବ୍ୟବସାୟିକ ଭିତ୍ତିରେ କାର୍ଗୋ ବିମାନ ପରିଚାଳନା କରୁଛନ୍ତି । ୨୪ ମାର୍ଚ୍ଚରୁ ୮ ମଇ ମଧ୍ୟରେ, ସ୍ପାଇସଜେଟ୍ ୬୫୮୭ ଟନ, ବ୍ଲୁ ଡାର୍ଟ ୫,୨୩୧ ଟନ୍, ଇଣ୍ଡିଗୋ ୩ ଏପ୍ରିଲରୁ ୮ ମଇ ମଧ୍ୟରେ ୫୮୫ ଟନ, ଭିସ୍ତାରା ୧୯ ଏପ୍ରିଲରୁ ୮ ମେ ମଧ୍ୟରେ ୩୨ ଟନ ମାଲ ପରିବହନ କରିପାରିଛି। ଏଥିରେ ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ-୧୯ ରିଲିଫ ସାମଗ୍ରୀ ରହିଛି। ଏୟାର ଇଣ୍ଡିଆ ୧୦୭୫ ଟନ୍ ଚିକିତ୍ସା ସାମଗ୍ରୀ ପରିବହନ କରିଥିବା ବେଳେ ଗ୍ୱାଙ୍ଗଝୋ ଓ ସାଂଘାଇରୁ ପ୍ରାୟ ୧୩୧ ଟନ ଏବଂ ହଂକଂରୁ ୨୪ ଟନ ମାଲ୍‌ ବ୍ଲୁ ଡାର୍ଟ ଦ୍ୱାରା ପରିବହନ କରାଯାଇଛି। ସ୍ପାଇସ ଜେଟ ସାଂଘାଇ ଓ ଗ୍ୱାଙ୍ଗଝୋରୁ ୨୦୫ ଟନ ଏବଂ ହଂକଂ ଓ ସିଙ୍ଗାପୁରରୁ ୨୧ ଟନ ଚିକିତ୍ସା ସାମଗ୍ରୀ ଉଠାଇଛି ।

ସମ୍ବନ୍ଧିତ ଖବର