ବିଜେପିରେ ଯୋଗ ଦେବା ପରେ ବୋହୂ ଅପର୍ଣ୍ଣାଙ୍କୁ ମୁଲାୟମ୍‌ ସିଂହ ଯାଦବ ଦେଲେ ଏଭଳି ପରାମର୍ଶ

ଲକ୍ଷ୍ନୌ: ଜାନୁଆରି ୧୯ରେ ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ୍‌ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ‘ବିଜେପି’ରେ ଯୋଗ ଦେଇଥିଲେ। ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅପର୍ଣ୍ଣା ‘ବିଜେପି’ରେ ଯୋଗ ଦେଉଛନ୍ତି ବୋଲି ମିଳୁଥିବା ଉଡ଼ା ଖବରକୁ ପୂର୍ବରୁ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଖଣ୍ଡନ କରିଥିଲେ। ସେ କହିଥିଲେ, ମୋ ଅପେକ୍ଷା ‘ବିଜେପି’ ମୋ ପରିବାର ଯୋଗୁଁ ଚିନ୍ତିତି। ‘ବିଜେପି’ଦ୍ବାରା ପ୍ରେରିତ ହୋଇ କ’ଣ ଆପଣମାନେ ମୋତେ ଏ କଥା ପଚାରୁଛନ୍ତି? ହେଲେ ଶେଷରେ ଯାହା ଚର୍ଚ୍ଚା ହେଉଥିଲା, ତାହା ହିଁ ଘଟିଲା।

ତେବେ ବିରୋଧୀ ଦଳରେ ସାମିଲ ହୋଇଥିଲେ ବି ଗୋଟେ ବୋହୂର କର୍ତ୍ତବ୍ୟ କରିବାକୁ ଭୁଲିନଥିଲେ ଅପର୍ଣ୍ଣା। ଦଳରେ ସାମିଲ ହେବା ପରେ ସେ ଶଶୁର ମୁଲାୟମ୍‌ ସିଂହ ଯାଦବଙ୍କ ଆର୍ଶୀବାଦ ନେବାକୁ ପହଞ୍ଚିଥିଲେ। ତେବେ ସେଠାରେ ପହଞ୍ଚିବା ପରେ ମୁଲାୟମ୍‌ ସିଂହ ତାଙ୍କୁ କ’ଣ ପରାମର୍ଶ ଦେଇଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅପର୍ଣ୍ଣାଙ୍କ କହିବା ମୁତାବକ, ମୁଁ ତାଙ୍କୁ (ମୁଲାୟମ ସିଂ ଯାଦବ) ଧନ୍ୟବାଦ ଦେବି। ସେ ମୋତେ ବହୁତ କିଛି କହିଛନ୍ତି। ରାଜନୈତିକ ଜ୍ଞାନ ମଧ୍ୟ ଦେଇଛନ୍ତି। ମୁଁ ସେହି ପରିବାରର ବୋହୂ ଥିଲି, ଅଛି ଏବଂ ରହିବି। ସେ ମୋର ଶ୍ୱଶୁର ଏବଂ ପିତା ମଧ୍ୟ। ବିଜେପିରେ ଯୋଗ ଦେବାକୁ ନେଇ ସେ ମୋତେ କହିଲେ ଯେ, ଏବେ ଏହାକୁ ଉପଭୋଗ କର। ପରେ ଏବିଷୟରେ କଥା ହେବା।

ସୂଚନାଯୋଗ୍ୟ, ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅପର୍ଣ୍ଣା ସମାଜବାଦୀ ପାର୍ଟି ଟିକେଟ୍‌ରେ ଲକ୍ଷ୍ନୌ କ୍ୟାଣ୍ଟନ୍‌ମେଣ୍ଟ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ, ‘ବିଜେପି’ ପ୍ରାର୍ଥିନୀ ରୀତା ବହୁଗୁଣାଙ୍କ ଠାରୁ ସେ ୩୩,୭୯୬ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର