ପାକିସ୍ତାନର କର୍ତ୍ତାରପୁର ଷଡ଼ଯନ୍ତ୍ର : ଶିଖ ତୀର୍ଥଯାତ୍ରୀ ବେଶରେ ଭାରତକୁ ଆତଙ୍କବାଦୀ ପଠାଇବ !

ନୂଆଦିଲ୍ଲୀ : କର୍ତ୍ତାରପୁର କରିଡରକୁ ଖୋଲିବା ପଛରେ ଯେ ପାକିସ୍ତାନର କୌଣସି ଧାର୍ମିକ ସଦ୍ଭାବ ନଥିଲା ବରଂ ଥିଲା ଏକ ଷଡ଼ଯନ୍ତ୍ର ତାହା ଧୀରେ ଧୀରେ ସ୍ପଷ୍ଟ ହେବାକୁ ଲାଗିଛି । ଏହି କରିଡର ଦେଇ ପାକିସ୍ତାନର ଆଇଏସଆଇ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ପ୍ରେତ୍ସାହନ ଦେବା ସହ ଆତଙ୍କବାଦୀଙ୍କୁ ପଠାଇବାକୁ ସାଂଘାତିକ ଷଡ଼ଯନ୍ତ୍ର କରୁଛି ।

ଗୁଇନ୍ଦା ସୁତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀର ଦେଇ ଆତଙ୍କବାଦୀଙ୍କୁ ପଠାଇବା କଷ୍ଟକର ହେଉଥିବାରୁ ପାକିସ୍ତାନର ଆଇଏସଆଇ କର୍ତ୍ତାରପୁର କରିଡର ଦେଇ ଆତଙ୍କବାଦୀଙ୍କୁ ପଠାଇବା ଯୋଜନାରେ ରହିଛି । ଲସ୍କର-ଇ-ତୋଇବା ଆାତଙ୍କବାଦୀଙ୍କୁ ଶିଖ ତୀର୍ଥଯାତ୍ରୀ ବେଶରେ ଭାରତକୁ ପଠାଇବାକୁ ଯୋଜନା କରାଯାଉଛି । ବିଶେଷକରି ପଂଜାବରେ ଆତଙ୍କରାଜ ସୃଷ୍ଟି କରି ପୁଣି ଅସ୍ଥିରତା ସୃଷ୍ଟି କରିବା ପାକିସ୍ତାନର ଲକ୍ଷ୍ୟ ।

ଆଇଏସଆଇ ପକ୍ଷରୁ ଏସବୁ ଆତଙ୍କବାଦୀମାନଙ୍କୁ ଶିଖ ତୀର୍ଥଯାତ୍ରୀଭାବେ ପ୍ରମାଣିତ କରିବାକୁ ସବୁପ୍ରକାରର ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଉଛି । ନିକଟ ଭବିଷ୍ୟତରେ ସେମାନଙ୍କୁ ଅନୁପ୍ରବେଶ କରାଇବା ଲାଗି ଉଦ୍ୟମ କରାଯାଉଛି ।

ଏହି ଷଡ଼ଯନ୍ତ୍ର ପାଇଁ ଏଲଇଟିର ଏକ ଗ୍ରୁପକୁ ସ୍ବତନ୍ତ୍ର ଭାବେ କମାଣ୍ଡୋ ତାଲିମ ଦିଆଯାଇଛି । ସାକରଗଡ଼ଠାରେ ଥିବା ଏକ ଆତଙ୍କୀ କ୍ୟାମ୍ପରେ ସେମାନଙ୍କୁ କମାମଣ୍ଡୋ ତାଲିମ ଦିଆଯାଇଛି । ଅନୁପ୍ରବେଶ କରିବା ପରେ ପଂଜାବର ଗୁରୁଦାସପୁର ଓ ପଠାନକୋଟ ଯିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଠାନକୋଟରେ ହିଁ ଭାରତୀୟ ବାୟୁ ସେନାର ବିମାନ ଘାଟି ରହିଛି । ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ବାୟୁସେନା ଘାଟି ଥିବା ଅନୁମାନ କରାଯାଉଛି ।

 

 

ସମ୍ବନ୍ଧିତ ଖବର