ପାକିସ୍ତାନ ଓ କଶ୍ମୀର ଆତଙ୍କବାଦୀଙ୍କ ମଧ୍ୟର ଥିବା ସମ୍ପର୍କ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଚିଠି କୋର୍ଟରେ ଉପସ୍ଥାପନ କଲା ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପାକିସ୍ତାନ ସରକାର, ଆଇଏସଆଇ ଓ ହୁରିୟାତ ନେତାମାନଙ୍କ ଗଭୀର ସମ୍ପର୍କ ନେଇ କୋର୍ଟରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦସ୍ତାବିଜ୍‌ ଉପସ୍ଥାପନ କରାଯାଇଛିି। ଏଥିରେ ପାକିସ୍ତାନର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଜହୁର ଅହମ୍ମଦ ଓ୍ଵାଟାଲି ନାମକ ଜଣେ ହାଓ୍ଵାଲା ଦଲାଲଙ୍କୁ ଲେଖିଥିବା ଚିଠିକୁ ପ୍ରମାଣ ଭାବେ ଉପସ୍ଥାପିତ କରାଯାଇଛି। ଏହି ଚିଠି ଏନଆଇଏ ଗତବର୍ଷ ଜହୁରଙ୍କ ଘରୁ ଜବତ କରିଥିଲା।
ଏନଆଇଏ ପକ୍ଷରୁ କେଉଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଚିଠି ଲେଖିଥିଲେ ସେ ସମ୍ପର୍କରେ ଗୋପନୀୟତା ରକ୍ଷା କରାଯାଇଛି, ତଥାପିି କୋର୍ଟରେ ଦାଖଲ ହୋଇଥିବା ଜଉମୁଦ ଦସ୍ତାବିଜ୍‌ ମଧ୍ୟରେ ଏହା ରହିଥିିବା ଜଣାପଡ଼ିଛି।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜହୁର ପ୍ରାୟ ୭ ବର୍ଷ ତଳେ ପାକ ଅଧିକୃତ କଶ୍ମୀରର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ମହମୁଦ ଚୌଧୁରୀ ଙ୍କ ସହିତ ତତ୍‌କାଳୀନ ପ୍ରଧାମନ୍ତ୍ରୀ ନବାଜ ସରିଫଙ୍କୁ ଭେଟିଥିବା ଚର୍ଚ୍ଚା ହଉଛି। ଜହୁର ଆଇଏସଆଇ ସହିତ ସମ୍ପୃକ୍ତ ଓ କୋଟି କୋଟି ଟଙ୍କାର ବେଆଇନ ହାଓ୍ଵଲା ଦେଣନେଣରେ ସମ୍ପୃକ୍ତ ଥିବା ଏନଆଇଏ ପକ୍ଷରୁ କୁହାଯାଇଛି।


ଏନଆଇଏ ତାର ଚାର୍ଜ ସିଟ୍‌ରେ ଦର୍ଶାଇଛି ଯେ ଜହୁରଙ୍କ ଘରୁ ଜବତ ହୋଇଥିବା ଦସ୍ତାବିଜ୍‌ରେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମସିନଙ୍କ ନିକଟକୁ ଲେଖାଯାଇଥିବା କେତେକ ଚିଠି ଜବତ କରାଯାଇଛି। ଯେଉଁଥିରୁ ତାଙ୍କର ପାକିସ୍ତାନ ସରକାରଙ୍କ ସହିତ ଥିବା ଘନିଷ୍ଠତା ସମ୍ପର୍କରେ ସୂଚନା ମିଳୁଛି।ସେହିପରି ଜହୁରଙ୍କ ପୁଅ ୟାସୀର ଶାହା ଓ୍ଵଟଲି ଓ ସୟିଦ ଅଲୀ ଶାହା ଗିଲାନୀଙ୍କ ପୁଅ ନଇମ୍‌ ଉଲ ଜାଫର ଗିଲାନୀ ଙ୍କ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛି ଏନଆଇଏ। ଏନଆଇଏ ହୁରିଆତ ନେତାଙ୍କ ଘନିଷ୍ଠ ଥିବା ଆଠଜଣଙ୍କ ବୟାନ ମଧ୍ୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ରେକର୍ଡ କରିଛି। ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ସେମାନଙ୍କ ପରିଚୟ ଗୁପ୍ତ ରଖାଯାଇଛି।ଏଥିରେ ପାକିସ୍ତାନ ସରକାର କିପରି ହୁରିୟାତ କନଫରେନ୍ସ ସହାୟତାରେ ଲସ୍କର ଇ-ତୋଇବା, ହିଜବଲ ମୁଜାହିଦ୍ଦିନ , ଜମ୍ମୁ କଶ୍ମୀରେ ପଥର ଫିଙ୍ଗୁଥିବା ଯୁବକମାନଙ୍କୁ ଆର୍ଥିକ ସହାୟତା ଦେଉଛି ତାହା ଉଲ୍ଲେଖ କରାଯାଇଛି। ସୟିଦ ଅଲୀ ଶହା ଗିଲାନୀଙ୍କ ଜ୍ୱାଇଁ ଅଲତାଫ ଅହମ୍ମଦ ଶହା ଓରପ ଫଣ୍ଟୁସ ମଧ୍ୟ ଏହି ହାଓ୍ଵଲା କାରବାରର ଅନ୍ୟତମ ଲିଙ୍କ ବୋଲି ଏନଆଇଏ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର