‘ମୋ ସରକାର’କୁ ସଂସଦୀୟ କମିଟିର ପ୍ରଶଂସା

ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିସ; ସବୁ ରାଜ୍ୟ ଆପଣାନ୍ତୁ
ପଦକ୍ଷେପ ନେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପରାମର୍ଶ
ଓଡ଼ିଶାରେ ପ୍ରତି ୧ଲକ୍ଷରେ ୧୨୯ ଜଣ ପୁଲିସ ଅଛନ୍ତି
ରାଜ୍ୟର ୩୮ଥାନାରେ ୱାୟାରଲେସ, ମୋବାଇଲ ନାହିଁ
୩୩% ମହିଳାଙ୍କୁ ନିଯୁକ୍ତି ଦେବାକୁ ବି କହିଲେ

ନୂଆଦିଲ୍ଲୀ, : ନିକଟରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନି, ସଂସଦୀୟ ଷ୍ଟାଣ୍ଡିଂ କମିଟି ଓଡ଼ିଶାର ‘ମୋ ସରକାର’ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେଇଛନ୍ତି। ପୁଲିସର ପ୍ରଦର୍ଶନ ଆକଳନ ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ଲୋକଙ୍କ ଠାରୁ ସିଧାସଳଖ ମତାମତ ଆହ୍ବାନ ପ୍ରକ୍ରିୟା ବିକଶିତ କରିବା ଲାଗି ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି।

ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ‘ମୋ ସରକାର’ ସଂପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରତ୍ୟେକ ଦିନ ପୁଲିସ ଷ୍ଟେସନ ପରିଦର୍ଶନ କରୁଥିବା ଅଭିଯୋଗକାରୀଙ୍କ ମତାମତ ସରକାର ସେମାନଙ୍କ ଠାରୁ ନେଉଛନ୍ତି। ଫୋନ ଜରିଆରେ ଏହା କରାଯାଇଥାଏ। ଓଡ଼ିଶା ସରକାର ନିଜେ ଏହି ତଥ୍ୟ ଦେଇଛନ୍ତି। ଅଭିଯୋଗକାରୀଙ୍କୁ ବେଳେ ବେଳେ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ଫୋନ କରାଯାଇଥାଏ ଏବଂ ଅନେକ ସମୟରେ କଲ ସେଣ୍ଟରଦ୍ବାରା ଫୋନ କରାଯାଇ ସେମାନଙ୍କର ପ୍ରତିକ୍ରିୟା ନିଆଯାଇଥାଏ ବୋଲି ରାଜ୍ୟ ସରକାର ଜଣାଇଛନ୍ତି। ଏଭଳି ଉଦ୍ୟମ ଫଳରେ ପୁଲିସ ଷ୍ଟେସନ ସ୍ତରରେ ପ୍ରର୍ଦଶନରେ ଉନ୍ନତି ଆସିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଓଡିଶାର ‘ମୋ ସରକାର’ର ଏହି ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦେବା ଲାଗି ସୁପାରିସ କରିଛି ଷ୍ଟାଣ୍ଡିଂ କମିଟି।

କେବଳ ସେତିକି ନୁହେଁ, ଏହି ରିପୋର୍ଟରେ ଆଉ ଗୋଟିଏ କାର୍ଯ୍ୟକୁ ବି କମିଟି ପ୍ରଶଂସା କରି ଏହାର ଅନୁପାଳନ ଅନ୍ୟ ରାଜ୍ୟମାନେ କରିବା ଉଚିତ୍ ବୋଲି ମନ୍ତ୍ରାଳୟକୁ ପ୍ରବର୍ତାଇଛି। କମିଟି କହିଛି, ସଂପତ୍ତି ଏବଂ ଚୋରି ଯାନବାହାନ ଯେଉଁଥିରେ ଅଭିଯୁକ୍ତମାନଙ୍କ ବିସ୍ତୃତ ସୂଚନା ନଥାଏ ସେ ଦିଗରେ ପଦକ୍ଷେପ ନେବା ପାଇଁ ଓଡିଶା ସମେତ ୪ଟି ରାଜ୍ୟ ଦ୍ବାରା ଇ-ଏଫଆଇଆର ବ୍ୟବସ୍ଥାକୁ ଲାଗୁ କରିଛନ୍ତି। ଏହା ସାରା ଦେଶରେ ଲାଗୁ କରାଗଲେ ନିଶ୍ଚୟ ସୁଫଳ ମିଳିବ।

ରାଜ୍ୟୱାରି ହାସଲ କରାଯାଇଥିବା ସୂଚନା ଆଧାରରେ କମିଟି ରିପୋର୍ଟରେ ଓଡିଶାରେ ପୁଲିସ ଷ୍ଟେସନମାନଙ୍କରେ ସିସିଟିଭି କ୍ୟାମେରା ସ୍ଥାପନା କରାଯିବାର ପ୍ରକ୍ରିୟା ଜାରି ରହିଥିବ‌ା ଉଲ୍ଲେଖ କରିଛି। ମୁଶାହାରୀ କମିଟିର ସୁପାରିସର କାର୍ଯ୍ୟକାରିତାକୁ ନେଇ ଓଡିଶା ସମେତ ୧୨ଟି ରାଜ୍ୟକୁ ବାରମ୍ବାର ତଥ୍ୟ ମଗାଯିବା ସତ୍ବେ କୌଣସି ସୂଚନା ସେମାନେ ପ୍ରଦାନ କରିନାହାନ୍ତି ବୋଲି କମିଟି ଉଲ୍ଲେଖ କରିଛି। ଓଡ଼ିଶାରେ କନଷ୍ଟେବଳ ଠାରୁ ଆଇପିଏସ ଅଫିସରଙ୍କ ପର୍ଯ୍ୟନ୍ତ ବ‌ାଧ୍ୟତାମୂଳକ ଉଗ୍ରବାଦୀ ବିରୋଧି ପ୍ରଶିକ୍ଷଣର ଆୟୋଜନ କରାଯାଉଥିବା ତଥା ନକ୍ସଲ ସମସ୍ୟାର ମୁକାବିଲା ପାଇଁ ଭୁବନେଶ୍ବରର ସ୍ବତନ୍ତ୍ର ଅପରେସନ ଗ୍ରୁପ ପ୍ରଶିକ୍ଷଣ କେନ୍ଦ୍ର ଦ୍ବାରା ମହାରାଷ୍ଟ୍ର,କେରଳ ଓ ପଶ୍ଚିମବଙ୍ଗର ପୁଲିସଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା କୁହାଯାଇଛି।

The Hans India

ଅନ୍ୟପକ୍ଷରେ ଏହି ରିପୋର୍ଟ ଆହୁରି କହିଛି ଯେ ଦେଶର ୧୪୩ଟି ପୁଲିସ ଷ୍ଟେସନରେ ୱାୟାରଲେସ ବା ମୋବାଇଲ ଫୋନ ସୁବିଧା ନାହିଁ। ଏହି କ୍ରମରେ ଓଡିଶାର ୩୮ ଟି ଥାନାରେ ୱାୟାରଲେସ ବା ମୋବାଇଲ ଫୋନ ନଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି; ଯାହା ଦେଶରେ ସର୍ବାଧିକ।

ରାଜ୍ୟରେ ଏକ ଲକ୍ଷ ଜନସଂଖ୍ୟାରେ ୧୪୬.୩୬ ଜଣ ପୁଲିସ ରହିବାର ବ୍ୟବସ୍ଥା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୨୯.୩୧ ରହିଛି। ରାଜ୍ୟର ସମୁଦାୟ ୫୮,୪୫୫ ପୁଲିସଙ୍କ ମଧ୍ୟରୁ ମହିଳା ପୁଲିସଙ୍କ ସଂଖ୍ୟା ରହିଛି ୫,୮୫୪। ମହିଳା ପୁଲିସ ଜାତୀୟ ସ୍ତରରେ ୧୦.୩୦% ଥିବାବେଳେ ଓଡିଶାରେ ୧୦.୧% ରହିଛି। ରାଜ୍ୟ‌ମାନଙ୍କରେ ୩୩ ପ୍ରତିଶତ ମହିଳାଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ଦେବାକୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି।

ସମ୍ବନ୍ଧିତ ଖବର