ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

ପ୍ରଧାନମନ୍ତ୍ରୀଙ୍କ ନିବେଦନ
ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ
ଘରେ ରହି କାମ କରନ୍ତୁ
ଗୁଜବରେ ବିଶ୍ବାସ କରନ୍ତୁ ନାହିଁ
ଛାନିଆରେ କିଣାକିଣି କରନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ଯୋଗୁଁ ସାରା ବିଶ୍ବ ଏବେ ସଙ୍କଟ ଦେଇ ଗତି କରୁଛି। ଆମେ ନିଜେ ସତର୍କ ‌େହଲେ ଏହାର ସଫଳ ମୁକାବିଲା କରିପାରିବା। ଅତ୍ୟନ୍ତ ଜରୁରି ନଥିଲେ ଘରୁ ବାହାରନ୍ତୁ ନାହିଁ। ଘରେ ରହି କାମ କରନ୍ତୁ। ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପ‌‌ାଳନ କରାଯିବ। ଏହି ସମୟରେ ଲୋକେ ଘରୁ ବାହାରନ୍ତୁ ନାହିଁ। ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆହ୍ବାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭାଇରସ୍‌ ସଂପର୍କରେ ପ୍ରତ୍ୟେକ ଭାରତୀୟ ସତର୍କ ରହିବା ଜରୁରୀ। ଏବେ ପୂରା ବିଶ୍ବ କରୋନା ପାଇଁ ଗୁରୁତର ସଙ୍କଟ ଦେଇ ଗତି କରୁଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏହା କୌଣସି ଦେଶ କିମ୍ବା ରାଜ୍ୟରେ ସୀମିତ ରହିଥାଏ, କିନ୍ତୁ କରୋନା ସମଗ୍ର ବିଶ୍ବକୁ ବିପଦରେ ପକାଇ ଦେଇଛି। ଯେତିକି ସମସ୍ୟା ଏବେ କରୋନା ଭାଇରସ୍‌କୁ ନେଇ ଦେଖିବାକୁ ମିଳିଛି, ପ୍ରଥମ ବିଶ୍ବ ଯୁଦ୍ଧ ସମୟରେ ବି ଏତେ ସଙ୍କଟ ହୋଇନଥିଲା। ଦେଶବାସୀ ଏବେ କରୋନାରୁ ବର୍ତ୍ତିବା ପାଇଁ ପ୍ରୟାସ କରୁଛନ୍ତି, ଏହା ସତ୍ତ୍ବେ ସମସ୍ୟା ବଢ଼ୁଛି। ବିଶ୍ବ ମହାମାରୀ କରୋନାକୁ ନେଇ ଉଦାସୀନ ରହିବା ଉଚିତ ହେବନାହିଁ। ସମସ୍ତେ ଏଥିପାଇଁ ସତର୍କ ରହିବା ଆବଶ୍ୟକ। ୧୩୦ କୋଟି ଦେଶବାସୀଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୨ ମାର୍ଚ୍ଚ ରବିବାର ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ହେବ। ଏହି ଜନତା କର୍ଫ୍ୟୁ ଜନତାଙ୍କ ଦ୍ବାରା ଏବଂ ଜନତାଙ୍କ ପାଇଁ ହେବ। କାରଣ ଏହା ହେବ ନିଜେ ନିଜ ଉପରେ ଲଗାଇଥିବା କର୍ଫ୍ୟୁ।

୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ ହେବ। ଅତ୍ୟନ୍ତ ଜରୁରି ନଥିଲେ ଏହି ସମୟରେ ଲୋକେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତେ ଆପଣଙ୍କ ଆଗକୁ ଆସୁଥିବା କିଛି ସମୟ, କିଛି ସପ୍ତାହ ଆବଶ୍ୟକ। ଏ ପର୍ଯ୍ୟନ୍ତ ବିଜ୍ଞାନ କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଉପାୟ ବାହାର କରିପାରି ନାହିଁ। ଏଥିପାଇଁ କୌଣସି ଟୀକା ବାହାରି ନାହିଁ। ବିଶ୍ବର ବହୁତ ବଡ଼ ଏବଂ ବିକଶିତ ରାଷ୍ଟ୍ର ମଧ୍ୟ କରୋନା ଦ୍ବାରା ଗୁରୁତର ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ ଭାରତ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଭାବିବା ଭୁଲ୍‌। କରୋନା ମୁକାବିଲା ପାଇଁ ସଂକଳ୍ପ ଏବଂ ସଂଯମର ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଭାଇରସ୍‌କୁ ନେଇ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଭାଇରସ୍‌ ଦେଶର ଅର୍ଥନୀତିରେ ଯେଭଳି ଗୁରୁତର ପ୍ରଭାବ ନ ପକାଇବ ସେ ଦିଗରେ ଟାସ୍କ ଫୋର୍ସ ସବୁ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବ। ଯେଉଁମାନଙ୍କୁ ଉପଯୋଗ କରି କୌଣସି ବ୍ୟବସାୟ ବା ଉଦ୍ୟୋଗ ଚାଲିଛି ସେମାନଙ୍କୁ ସହାନୁଭୂତିର ସହ ନେବାକୁ ହେବ ଏବଂ ସେମାନଙ୍କ ଦରମା ନ କାଟିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗକୁ ଖର୍ଚକାଟ୍ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର