ବିଦେଶରେ ଭାରତୀୟ ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ‘ଓ ମାଇଁ ଗଡ୍’, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଓ ମାଇଁ ଗଡ୍’ କହୁଥିବାର ଭିଡିଓ। ପ୍ରଧାନମନ୍ତ୍ରୀ ଏବେ ତିନି ଦିନିଆ ୟୁରୋପ ଗସ୍ତ ଶେଷ କରି ଭାରତ ଫେରିଛନ୍ତି। ମୋଦୀ ଡେନମାର୍କ ରାଜଧାନୀ କୋପେନ୍‌ହେଗନ ଗସ୍ତ କରିଥିଲେ। ମୋଦୀ ତାଙ୍କ ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍‌ସନ୍‌ଙ୍କ ସହିତ ବିଭିନ୍ନ ଦ୍ବିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ଆଲୋଚନା ପରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବାହାରକୁ ଆସିବା ପରେ ତାଙ୍କୁ ଭାରତୀୟ ସାମ୍ବାଦିକମାନେ ଘେରିଯାଇଥିଲେ।

କାର୍ଯ୍ୟକ୍ରମର ରିପୋର୍ଟିଂ କରିବାକୁ ଅନୁମତି ମିଳିଲା ନାହିଁ ବୋଲି ସାମ୍ବାଦିକମାନେ କହିବା ପରେ ମୋଦୀ କହିଥିଲେ, ‘ଓ ମାଇଁ ଗଡ୍’। ଏଭଳି କାହିଁକି କରାଗଲା ମୁଁ ସେ ବିଷୟରେ ନିଶ୍ଚୟ କଥା ହେବି। ଆପଣମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

ତେବେ ମୋଦୀଙ୍କ ଏହି ‘ଓ ମାଇଁ ଗଡ୍’ ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ରଖୁଛନ୍ତି ଲୋକେ। ଟେଲିପ୍ରମ୍ପଟର ବିନା ମୋଦୀ ଦୁଇ ପଦ ଭଲ ଭାବରେ କହିପାରୁନଥିବା କହି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଟେଲିପ୍ରମ୍ପଟରକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ବର୍ଷ ଜାନୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍‌ର ‌ଡାଭୋସ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଉଥିବା ବେଳେ ହଠାତ ଆଗରେ ଲାଗିଥିବା ଟେଲିପ୍ରମ୍ପଟର ବନ୍ଦ ହୋଇଯିବାରୁ ପ୍ରଧାନମନ୍ତ୍ରୀ ଅଟକି ଯାଇଥିବା ଦେଖାଯାଇଥିଲା। ଏହି ସମୟର ଭିଡିଓକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ପରେ ଏହା ଭାଇରାଲ୍ ହୋଇଥିଲା।

ସମ୍ବନ୍ଧିତ ଖବର