ମହାରାଷ୍ଟ୍ର କୋଠା ଭୁଶୁଡ଼ିବା ଘଟଣା: ସମବେଦନା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ

ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର କୋଠା ଭୁଶୁଡ଼ିବା ଘଟଣାକୁ ନେଇ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସେମାନଙ୍କ ସମବେଦନା ଜଣାଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଓ ଏନ୍‌ଡିଆର୍‌ଏଫ୍‌ ଦଳ ମିଶି ସମସ୍ତ ସାମ୍ଭବ୍ୟ ସହାୟତା ଯୋଗାଉନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଶ୍ବସ୍ତ କରାଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ହାନି ଘଟିଛି। ଏବେ ସୁଦ୍ଧା ସେଠାରେ ୬୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ପ୍ରାୟ ୨୦-୨୫ ଜଣ ଲୋକ ସେଠାରେ ଫସି ରହିଥିବା ସନ୍ଦେହ କରାଯାଉଛି।

କୋଠା ଭୁଶୁଡ଼ିବା ଘଟଣା‌ରେ ନିଜର ସମବେଦନା ଜଣାଇ ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ମହାରାଷ୍ଟ୍ରର ରାୟଗଡର ମହାଦ ଠାରେ କୋଠା ଭୁଶୁଡ଼ିବା ଏବଂ ଜଣେ ବ୍ୟକ୍ତି ପ୍ରାଣ ହରାଇବା ଖବର  ଅତ୍ୟନ୍ତ ଦୁଃଖଦାୟକ। ମୁଁ  ଏବଂ ମୋର ପ୍ରାର୍ଥନା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସହିତ ଅଛି। ମୁଁ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଏନଡିଆରଏଫ ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ କରୁଛନ୍ତି।’

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ମହାରାଷ୍ଟ୍ରର ରାୟଗଡ ମହାଦ ଠାରେ କୋଠା ଭୁଶୁଡ଼ିବା ଘଟଣାରେ ମୁଁ ଖୁବ୍ ଦୁଃଖିତ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହ ମୁଁ ଅଛି। ମୁଁ ପ୍ରାର୍ଥନା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଏନ୍‌ଡିଆର୍‌ଏଫ୍‌ ଦଳ ସମସ୍ତ ସାମ୍ଭବ୍ୟ ସହାୟତା ପ୍ରଦାନ କରିବାକୁ ଦୁର୍ଘଟଣାସ୍ଥଳରେ ଅଛନ୍ତି।’

ଉଲ୍ଲେଖଯୋଗ୍ୟ, ଗତକାଲି ସଂଧ୍ୟାରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମହଦଠା‌ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବା ଘଟଣାରେ ସଂପୃକ୍ତି ଥିବା ସ‌ନ୍ଦେହ କରି ପୁଲିସ୍‌ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର