ପଶ୍ଚିମବଙ୍ଗରେ ପୁଲିସ୍-ସିବିଆଇ ବିବାଦ ତେଜିଲା : ମମତାଙ୍କ ସହ ଧାରଣାରେ ବସିଲେ ଶୀର୍ଷ ପୁଲିସ ଅଧିକାରୀ, ଜରୁରୀ ବୈଠକ ଡାକିଲେ ରାଜ୍ୟପାଳ

କୋଲକାତା : ପଶ୍ଚିମବଙ୍ଗରେ ରାଜ୍ୟ ପୁଲିସ୍ ଓ ସିବିଆଇ ମୁହାଁମୁହିଁ ହେବାପରେ ବିଚିତ୍ର ପରିସ୍ଥିତି ଦେଖାଦେଇଛି। ପୁଲିସ କମିସନରଙ୍କ ଗିରଫ ବିରୋଧରେ କୋଲକାତା ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜ୍ୟର ୫ ଜଣ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ପୁଲିସ୍ ଡିଜି, ରାଜ୍ୟ ସୁରକ୍ଷା ପରାମର୍ଶଦାତା ଓ ଅତିରିକ୍ତ ପୁଲିସ ଡିଜି ( ଆଇନ –ଶୃଙ୍ଖଳା) ଉପସ୍ଥିତ ଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଆଇନ ଅନୁସାରେ ସରକାରୀ ଅଧିକାରୀମାନେ କୌଣସି ରାଜନୈତିକ ଧାରଣାରେ ସାମିଲ୍ ହେବା କଥା ନୁହେଁ। କିନ୍ତୁ ରାଜ୍ୟର ଶୀର୍ଷ ଅଧିକାରୀ ଧାରଣାରେ ସାମିଲ୍ ହେବା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ଜରୁରୀକାଳୀନ ବୈଠକ ଡାକିଛନ୍ତି।

କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ହଟହଟା ହୋଇଛି ସିବିଆଇ । ପୁଲିସ କମିସନରଙ୍କୁ ଗିରଫ ଲାଗି ଓ୍ୱାରେଣ୍ଟ ନ ଥିବା ହେତୁ ୫ ସିବିଆଇ ଅଫିସରଙ୍କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ । ତେଣେ ପୁଲିସ କମିସନରଙ୍କ ଗିରଫ ବିରୋଧରେ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସାମ୍ବିଧାନିକ ବ୍ୟବସ୍ଥାକୁ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ମମତା ବାନାର୍ଜୀ । ସେପଟେ କୋଲକାତା ସିବିଆଇ ଅଫିସରେ ପହଞ୍ଚିଛନ୍ତି ସିଆରପିଏଫ ଯବାନ । ସିଆରପିଏଫ ସୁରକ୍ଷାରେ ରହିଛି ସିବିଆଇ ଅଫିସ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢେଇ ଚରମ ସୀମାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ସାରଦା ଓ ରୋଜଭ୍ୟାଲି ଚିଟ୍ଫଣ୍ଡ ଦୁର୍ନୀତି ମାମଲାକୁ ନେଇ ଏହି ଘଟଣା ଘଟିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଚିଟ୍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୁଲିସର ସ୍ବତନ୍ତ୍ର ଅନୁସନ୍ଧାନ ଦଳ (ଏସଆଇଟି)ର ମୁଖ୍ୟ ଥିଲେ ଆଇପିଏସ୍ ଅଧିକାରୀ ରାଜୀବ କୁମାର। ସେ ଦୁର୍ନୀତି ନେଇ ଥିବା ପ୍ରମାଣକୁ ନଷ୍ଟ କରିଥିବା ଅଭିଯୋଗ କରିଛି ସିବିଆଇ । ଏଥିପାଇଁ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିଲା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ତିକ୍ତତା ସାରା ଦେଶକୁ ଜଣା । କିଛି ଦିନ ତଳେ ସିବିଆଇକୁ ପଶ୍ଚିମବଙ୍ଗକୁ ପୁରାଇ ଦେବ ନାହିଁ ବୋଲି ଘୋଷଣା କରିଥିଲେ ମମତା । ଯାହାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ଓ ଏବେ ପଶ୍ଚିମବଙ୍ଗରେ ଏକ ପଲଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । କୋଲକାତା ପୁଲିସ ସିବିଆଇ ଅଧିକାରୀଙ୍କୁ ଗିରଫ କରିବା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର