ଜଙ୍ଗଲ ନିଆଁରେ ରାଜନୀତି ତାତି, ଏକାଠି ମାତିଲେ ତିନି ରାଜନୈତିକ ଦଳ

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ, ନିଆଁ ଲିଭିବା ଯାଏ କେନ୍ଦ୍ରୀୟ ଟିମ୍ ରହିବେ

ଭୁବନେଶ୍ବର/ନୂଆଦିଲ୍ଲୀ: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଜଳୁଥିବା ନିଆଁ ତାତିରେ ଓଡ଼ିଶା ରାଜନୀତି ପାଣିପାଗ ଗରମ ହେଲାଣି। ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ହଠାତ୍ ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ରଣନୀତି ନେଇ ପରସ୍ପରକୁ ମାତ୍ ଦେବା ଲାଗି ଗୋଟିଚାଳନା ଆରମ୍ଭ କରିଛନ୍ତି। ଜଙ୍ଗଲ ନିଆଁ ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଥିବା ବିଜେପି ଆଜି ପାଦେ ଆଗକୁ ଯାଇଛି। ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତୁରନ୍ତ ତିନି ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ ଗଠନ କରିଛି ଓ ସେମାନେ ଯେକୌଣସି ମୁହୂର୍ତରେ ଓଡ଼ିଶା ଆସିବେ। ଏହି ଟିମ୍‌ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡ. ଅମିତ ମଲ୍ଲିକ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଡିଡିଜି ସୁବ୍ରତ ମହାପାତ୍ର ଏବଂ ଅଗ୍ନି ବିଶେଷଜ୍ଞ ଆରତି ଚୌଧୁରୀ ରହିଛନ୍ତି। ଏମାନେ ନିଆଁ ଲାଗିବା ଘଟଣାର ଆକଳନ କରିବେ ଓ ଶିମିଳିପାଳ ଜଙ୍ଗଲ ସ୍ଥିତିକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ବୈଷୟିକ ଓ ବିଶେଷଜ୍ଞ ପରାମର୍ଶ ପ୍ରଦାନ କରିବେ। ସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ଟିମ୍ ଓଡ଼ିଶାରେ ରହିବ। ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ବନାଗ୍ନି ସମସ୍ୟା ନେଇ ନିଜେ ସମୀକ୍ଷା କରିବେ ବୋଲି ଟ୍ବିଟ୍ କରି କହିଛନ୍ତି ମନ୍ତ୍ରୀ ଶ୍ରୀ ଜାଭଡେକର।

ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧିଦଳ କେନ୍ଦ୍ରମନ୍ତ୍ରୀଙ୍କୁ ସେମାନଙ୍କର ଉଦ୍‌ବେଗ ଜଣାଇଥିଲେ। ଟୁଇଟ୍ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ତଥା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଥିଲୁ। ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି ଓ ଉଦ୍ଭିଦସମୂହ କ୍ଷୟକ୍ଷତିର ଆକଳନ କରିବା ତଥା ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛୁ। ସେହିଭଳି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗର ପ୍ରତିନିଧି, ପରିବେଶବିତ, ଜଙ୍ଗଲ ସୁରକ୍ଷା ଦେଉଥିବା ଲୋକମାନଙ୍କୁ ନେଇ ଏକ କ୍ଷମତାସଂପନ୍ନ କମିଟି ଗଠନ କରିବା ପାଇଁ ଅନୁରୋଧ କରାଯାଇଥିଲା।

ମୟୂରଭଂଜର ସାଂସଦ ଇଂ ବିଶେଶ୍ବର ଟୁଡୁ କହିଥିଲେ ଏହି ମାମଲାକୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଗତକାଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ପଠାଇବା ନେଇ ଦାବି କରିଥିଲେ। ମାସେ ହେଲା ଓଡିଶାର ୬୫୦ଟି ସ୍ଥାନରେ ନିଆଁ ଲାଗିଛି କିନ୍ତୁ ରାଜ୍ୟ ସରକାର ଏଥିରେ ଧ୍ୟାନ ଦେଉନଥିବାର ଟୁଡୁ ଅଭିଯୋଗ କରିଥିଲେ। ବିଜେପି ସାଂସଦ ସୁରେଶ ପୁଜାରୀ କହିଥିଲେ ନିଆଁ ପଛରେ ଷଡଯନ୍ତ୍ରର ଗନ୍ଧ ରହିଛି। ଜଙ୍ଗଲ ତସ୍କରୀ, ହାତୀ ଶିକାର ପାଇଁ ନିଆଁ ଲଗାଯାଇଥାଏ ପାରେ ବୋଲି ସେ କହିଥିଲେ। ସେହିଭଳି କାମ୍ପା ପାଣ୍ଠି ବାଟମାରଣା ପାଇଁ ମଧ୍ୟ ନିଆଁ ଲଗାଯାଇଥାଇ ପାରେ ବୋଲି ସେ ସନ୍ଦେହ ବ୍ୟକ୍ତ କରିଥିଲେ। ପ୍ରଥମଥର ପାଇଁ ଫେବ୍ରୁଆରି ମାସରେ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାର ବିଷୟ ବୋଲି ସେ କହିଥିଲେ।

କଂଗ୍ରେସ ପକ୍ଷରୁ ନିଯୁକ୍ତ ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି ଜଙ୍ଗଲ ନିଆଁ ସଂପର୍କରେ ତାଙ୍କ ରିପୋର୍ଟ ଦେଇଛନ୍ତି। ଏଥିରେ ବନ ବିଭାଗ ନାମରେ ୧୦ଟି ଅଭିଯୋଗ ଅଣାଯାଇଛି। ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି ଯେ ନିଆଁ ସଂପର୍କରେ ନାସାର ସାଟେଲାଇଟ୍ ରିପୋର୍ଟ ଚକିତ କଲାଭଳି। ଏହାସତ୍ତ୍ବେ ଜଙ୍ଗଲ ବିଭାଗର ବାବୁମାନେ ନିୟନ୍ତ୍ରଣରେ ଅଛି ବୋଲି ଯାହା କହୁଛନ୍ତି, ତାହା ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ। ୩ ତାରିଖରେ ଜଙ୍ଗଲ ବିଭାଗର ସ୍ବତନ୍ତ୍ର ସଚିବ ଲିଙ୍ଗରାଜ ହୋତା ଡିଏଫଓଙ୍କୁ ଲେଖିଥିଲେ ଯେ ୪୦ ପ୍ରତିଶତ ଅଞ୍ଚଳରେ ବିଭାଗ ପହଞ୍ଚିପାରିନାହିଁ। ଏହା ହିଁ ସୂଚାଉଛି ଯେ ବିଭାଗ ଭିତରେ ସମନ୍ବୟ ନାହିଁ। ବର୍ତମାନ ଉଭୟ ପିସିସିଏଫ୍ (ଜେନେରାଲ) ଓ ପିସିସିଫ୍ (ଵାଇଲ୍ଡ ଲାଇଫ୍) ଉଭୟ ଖାଲିପଡ଼ିଛି। କାମଚଳା ଅଧିକାରୀ ଅଛନ୍ତି। ଏହି ହେଳା ବିଫଳତା କ୍ଷେତ୍ରରେ ବଡ଼ କାରଣ। କେବଳ ସେତିକି ନୁହେଁ, ଶିମିଳିପାଳ ଦାୟିତ୍ବରେ ଥିବା ଉପନିର୍ଦେଶକଙ୍କ ବିରୋଧରେ ୪ବର୍ଷ ଧରି ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ରହିଛି। ସରକାର ଜାଣିଶୁଣି ଆଖିବୁଜି ଦେଇଛନ୍ତି। ଏବର୍ଷ ଖରା ଆସିବା ପୂର୍ବରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇନାହିଁ। ସ୍ଥାନୀୟ ବାସିନ୍ଦା, ବନସୁରକ୍ଷା ସମିତି, ଜଙ୍ଗଲ ସୁରକ୍ଷା କମିଟି, ଇକୋ ଡେଭଲପ୍‌ମେଣ୍ଟ କମିଟିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ସେମାନଙ୍କ ସହିତ ବିଭାଗର ଅଧିକାରୀମାନେ ସର୍ବନିମ୍ନ ସମନ୍ବୟ ରଖିନାହାନ୍ତି। ଜଙ୍ଗଲ ବିଭାଗ ଶିମିଳିପାଳରେ ୫୦୦ ସୁରକ୍ଷା ସହାୟକଙ୍କୁ ନିଯୁକ୍ତି ଦେଇଥିଲେ। ଅଧିକାଂଶ ସ୍ଥାନୀୟ ଅଞ୍ଚଳର ନୁହଁନ୍ତି। ବାହାରୁ ଆଣି ସେମାନଙ୍କୁ ଜଙ୍ଗଲ ସଂରକ୍ଷଣ ଦାୟିତ୍ବ ଦେବା କେତେ ଯୁକ୍ତିଯୁକ୍ତ? ପୁଣି କୋଭିଡ୍ ସମୟରେ ସେମାନଙ୍କ ଭିତରୁ ୨୫୦ ଲୋକଙ୍କୁ ଛଟେଇ କରାଯାଇଛି।
କଂଗ୍ରେସ ଆହୁରି କହିଛି ଯେ ନିଆଁରେ ବନ୍ୟଜନ୍ତୁଙ୍କର କ୍ଷତି ହୋଇନି ବୋଲି ପିସିସିଏଫ୍ (ବନ୍ୟପ୍ରାଣୀ) କହିଛନ୍ତି। ସେ କେମିତି ଜାଣିଲେ, ପୋଡ଼ିଯାଇଥିବା ଅଞ୍ଚଳରେ କେତେ ସାପ ଓ ସରୀସୃପ ଜାତୀୟ ପ୍ରାଣୀ ଥିଲେ? ସେହିପରି ଟାସ୍କେଫୋର୍ସରେ ଆଦିବାସୀ ବା ବନବାସୀ ସଂପ୍ରଦାୟର କେହି କାହିଁକି ନାହାନ୍ତି? ସର୍ବୋପରି କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଦଳ କହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ମମତା କୁଣ୍ଡୁ, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ଥାନୀୟ ଅଞ୍ଚଳରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ମଧ୍ୟ କରିଥିଲା ଭଞ୍ଜ ସେନା। ରାଜ୍ୟ ସରକାର ନିଆଁକୁ ଆୟତ୍ତ ଲାଗି ତନାଘନା ଚଳାଇଥିବା ବେଳେ ପ୍ରସଙ୍ଗଟି ରାଜନୈତିକ ମୋଡ଼ ନେଉଥିବା ଜାଣି ବିଜେଡି ସାମ୍ନାକୁ ଆସିଛି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍ କରି କହିଛନ୍ତି, ଶିମିଳିପାଳ ସମଗ୍ର ଦେଶର ସଂପତ୍ତି। ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ସରକାରଙ୍କ ସହିତ ବିଜେଡି ଯୁବ ଓ ଛାତ୍ର ନିଆଁ ଲିଭା କାମରେ ଦିନରାତି ନିୟୋଜିତ ଅଛନ୍ତି। ଆସନ୍ତାକାଲି ସେ ବି ମୟୂରଭଂଜ ଆସୁଛନ୍ତି। ଏଥିସହିତ ବନାଗ୍ନି ନିୟନ୍ତ୍ରଣ କ୍ଷେତ୍ରରେ ସମସ୍ତଙ୍କୁ ସାମିଲ ପାଇଁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଦାସ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ଉଦ୍ୟମକୁ ବି ପ୍ରଶଂସା କରିବାକୁ ପଛାଇନାହାନ୍ତି। ଶିମିଳିପାଳ ନିଆଁକୁ ନେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଟ୍ବିଟ୍ କରି ନିଆଁ ଲିଭାଇବା ପାଇଁ ସରକାରଙ୍କ ଟାସ୍କ ଫୋର୍ସ ପ୍ରୟାସ ଜାରି ରଖିଥିବା, ହଜାରରୁ ଅଧିକ ବନକର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିବାର ତଥା ଓଡ୍ରାଫ, କର୍ମଚାରୀ ଓ ଅଗ୍ନିଶ୍ରମ ବାହିନୀ ମଧ୍ୟ କାର୍ଯ୍ୟରେ ସାମିଲ ଥିବା ଜଣାଇଛନ୍ତି।

ଶିମିଳିପାଳ, ଶିମିଳିପାଳ ବର୍ଣ୍ଣିଂ ଓ ଶିମିଳିପାଳ ଫାୟାର ପରେ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ ‘ବିଜେଡି ୱିଥ୍‌ ଶିମିଳିପାଳ’। ଶିମିଳିପାଳ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ବିଜେଡିର ଅନେକ ସମର୍ଥକ ଏବେ ଏହି ହାସ୍ ଟ୍ୟାଗକୁ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି। ଏସବୁ ହିଁ ସୂଚାଇ ଦେଉଛି ଜଙ୍ଗଲ ନିଆଁର ତାତିର ପ୍ରଭାବରେ ଆଗକୁ ରାଜ୍ୟ ରାଜନୀତି ଭୀଷଣ ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ପୂର୍ବାପେକ୍ଷା କମିଛି, ତଥାପି ଜଳୁଛି

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ନେଇ ରାଜ୍ୟରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠାରୁ ସ୍ଥିତିରେ ସାମାନ୍ୟ ଉନ୍ନତି ଆସିଥିବା ସରକାରୀ ତଥ୍ୟ କହୁଛି। ହେଲେ ସ୍ଥିତି ଶତ ପ୍ରତିଶତକୁ ନିୟନ୍ତ୍ରଣକୁ ଆସିପାରିନାହିଁ। ଆଜି ଜଙ୍ଗଲ ନିଆଁ ରୋକିବା ଲାଗି ସରକାର ଗଠନ କରିଥିବା ଟାସ୍କଫୋର୍ସ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ ଗତକାଲି ଅର୍ଥାତ୍ ୯ ତାରିଖରେ ୨୯୦ଟି ସ୍ଥାନରେ ନିଆଁ ଲାଗିଥିବା ଠାବ ହୋଇଥିଲା, ଏହା ଆଜି ୨୬୮କୁ ଖସିଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳେ ୨୪ଟି ସ୍ଥାନରେ ନିଆଁର ଉପସ୍ଥିତି ରିପୋର୍ଟ ହୋଇଛି। ତେବେ ଗତ ୨୪ ଘଣ୍ଟାରେ କୌଣସି ବନ୍ୟଜନ୍ତୁ ନିଆଁ ଦ୍ବାରା ପ୍ରଭାବିତ ହୋଇ ନାହାନ୍ତି କିମ୍ବା କୌଣସି ବ୍ୟକ୍ତିଙ୍କର ବି କ୍ଷୟକ୍ଷତି ହୋଇନାହିଁ।
ଅନ୍ୟପକ୍ଷରେ ରାଜ୍ୟ ଜଙ୍ଗଲ ବିଭାଗ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଜଙ୍ଗଲ ନିଆଁ ଲିଭାଇବା ଲାଗି ଅଗ୍ନିଶମ ବିଭାଗର ସହଯୋଗ ଲୋ଼ଡିଛି। ଅଧିକ ୪ଟି ଓଡ୍ରାଫ୍ ଟିମ୍‌ ମଗାଯାଇଛି। ରାଜ୍ୟର ସମସ୍ତ ଜଙ୍ଗଲ
ଡିଭିଜନ୍‌ରେ ବିଭାଗୀୟ କ୍ଷେତ୍ର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ୍ କରିଛି ବିଭାଗ।
ଆଜି ଗଣମାଧ୍ୟମକୁ ଟାସ୍କପୋର୍ସ ପକ୍ଷରୁ କୁହାଯାଇଛି ଯେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ୨୭୫୦ ବର୍ଗ କିଲୋମିଟର ବ୍ୟାପ୍ତ। ଏଥିରୁ ୨୩୦୬.୬ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ଅନ୍ତର୍ଭୁକ୍ତ। ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ଏବେ ୮୦୦ ଵାଚ୍‌ରଙ୍କୁ ନିୟୋଜିତ କରାଯାଇଛି। ୨୫ଜଣ ବିଶିଷ୍ଟ ୨ଟି ଓଡ୍ରାଫ୍ ଦଳ ସହିତ ୨୦ ଜଣ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପାଖାପାଖି ୪୦୦ ସଂଖ୍ୟକ ବ୍ଲୋୟର୍ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଇଲାକାରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ସେହିଭଳି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଓ ଗଞ୍ଜାମର ଭଞ୍ଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ୪ଟି ଓଡ୍ରାଫ୍ ଦଳ ମୁତୟନ ଲାଗି ଆଜି ଜଙ୍ଗଲ ବିଭାଗ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ ଚିଠି ଲେଖିଛି। ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ମୋନା ଶର୍ମା ଏଥିରେ ଦର୍ଶାଇଛନ୍ତି ଯେ ଦୀର୍ଘ ସମୟ ଧରି ଅତ୍ୟନ୍ତ ଶୁଷ୍କ ପାଗ ଯୋଗୁଁ ବନାଗ୍ନି ବୃଦ୍ଧି ଘଟିଛି। ଜଙ୍ଗଲ ବିଭାଗର କ୍ଷେତ୍ରାଧିକାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ହେଲେ ନିଆଁର ବ୍ୟାପକତା, ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି, ଶୁଷ୍କ ପାଗ ଯୋଗୁଁ ଏହି ନିଆଁ ଲିଭା ପ୍ରକ୍ରିୟାରେ ଅଧିକ ଲୋକଙ୍କ ସଂପୃକ୍ତି ଦରକାର। କେବଳ ସେତିକି ନୁହେଁ, ଅଗ୍ନିଶମ ଡିଜିଙ୍କୁ ଚିଠି ଲେଖି ଡାକ୍ତର ଶର୍ମା କହିଛନ୍ତି ଯେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଉଭୟ ବନଖଣ୍ଡ ଅଧିକାରୀ ଏବଂ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଆବଶ୍ୟକ ସହାୟତା ଦେବା ଦରକାର। ଏପରିକି ନିଜେ ଡିଜି ଏ ସଂକ୍ରାନ୍ତରେ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ନିର୍ଦେଶ ଦେବା ଲାଗି ସେ କହିଛନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆଜି ଜଙ୍ଗଲ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ ରାଜ୍ୟର ସମସ୍ତ ବନଖଣ୍ଡରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀ, କ୍ଷେତ୍ର କର୍ମଚାରୀଙ୍କର ଛୁଟି ବାତିଲ୍ ହେବ। ସେମାନଙ୍କର ଛୁଟି ମଞ୍ଜୁର କରାଯିବ ନାହିଁ। କେବଲ ଅନିବାର୍ଯ୍ୟ କାରଣର କ୍ଷେତ୍ରରେ ବା ଅସାଧାରଣ ପରିସ୍ଥିତିରେ ଉପରିସ୍ଥ କର୍ତ୍ତୃପକ୍ଷ (ଡିଏଫ୍‌ଓ ବା ତଦୁର୍ଦ୍ଧ)ଙ୍କ ପୂର୍ବ ଅନୁମୋଦନ କ୍ରମେ ଛୁଟି ମଞ୍ଜୁର କରାଯିବ। ତାହା ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ଜଣାଇ ଦିଆଯିବ। ଏହି ନିର୍ଦେଶର କୌଣସି ତ୍ରୁଟି ବିଚ୍ୟୁତି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ଷେତ୍ରାଧିକାରୀମାନେ ଅହୋରାତ୍ର ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବେ। ସମସ୍ତ ଜିଲ୍ଲାପାଳ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ଏ ନେଇ ଜଣାଇଦିଆଯାଇଛି।
ଇତିମଧ୍ୟରେ ବିଭାଗୀୟ ସଚିବ ମୋନା ଶର୍ମା ଆଜି ସନ୍ଧ୍ୟାରେ ବାରିପଦା ଯାଇଛନ୍ତି। ସେଠାରେ ଜିଲ୍ଲାପାଳଙ୍କ ସହିତ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର