କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା ମୋଦୀ ବିରୋଧୀ ଦଳଙ୍କୁ ଭରସାକୁ ନେଉନାହାନ୍ତି

ଗାନ୍ଧି ପରିବାର ଘୃଣ୍ୟ ରାଜନୀତି କରୁଛି: ବିଜେପି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ପ୍ରସ୍ତାବକୁ ନେଇ ଆଜି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ସରକାରଙ୍କ ଉପରେ ବର୍ଷିଛନ୍ତି। ସମ୍ପ୍ରତି କରୋନା ମୁକାବିଲା ପାଇଁ ଦେଶ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛି, ଏ କ୍ଷେତ୍ରରେ ବିରୋଧୀ ଦଳ ନେତାଙ୍କ କଥାରେ କେନ୍ଦ୍ର ସରକାର ଭରସା କରିବା ଉଚିତ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ସହ କଥା ହେଉନାହାନ୍ତି କି ସେମାନଙ୍କୁ ଭରସାକୁ ନେଉନାହାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରଧାନମନ୍ତ୍ରୀ ପାକିସ୍ତାନର ଆଇଏସ୍‌ଆଇ ସହ କଥା ହେବାକୁ ଇଚ୍ଛା ପ୍ରକଟ କରୁଛନ୍ତି, କିନ୍ତୁ ବିରୋଧୀ ଦଳଙ୍କୁ ଅଣଦେଖା କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

ମନମୋହନ ସିଂହ ୧୦ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟଦକ୍ଷତାକୁ ଲୋକେ ଭଲ ଭାବେ ଜାଣିଛନ୍ତି। ତାଙ୍କର ପରାମର୍ଶକୁ ସରକାର ଗମ୍ଭରତାର ସହ ନେବା ଉଚିତ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କାଙ୍କ ଅଭିଯୋଗର ଜବାବ ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କରୋନା ମହାମାରୀ ସହ ସମଗ୍ର ଦେଶ ଲଢ଼ୁଥିବା ବେଳେ କଂଗ୍ରେସ ଦଳ ବିଶେଷ କରି ଗାନ୍ଧି ପରିବାର ଏହାକୁ ନେଇ ଘୃଣ୍ୟ ରାଜନୀତି କରୁଛି। ରାହୁଲ ଗାନ୍ଧିଙ୍କୁ ରାଜନୈତିକ ଫାଇଦା ଦେବାକୁ କଂଗ୍ରେସର ଏଭଳି ଉଦ୍ୟମକୁ ଲୋକେ ଠିକ୍‌ ବୁଝି ପାରୁଛନ୍ତି ବୋଲି ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର