ହିନ୍ଦୀକୁ ନେଇ ବିବାଦ: ହିନ୍ଦୀ ଭାଷା ହିଁ ଦେଶକୁ ଏକଜୁଟ କରିପାରିବ

ଷ୍ଟାଲିନ୍‌, ସିଦ୍ଦରାମେୟା, କୁମାରସ୍ବାମୀଙ୍କ ବିରୋଧ

ନୂଆଦିଲ୍ଲୀ: ଯଦି କୌଣସି ଭାଷା ଦେଶକୁ ଏକଜୁଟ କରିବା କାମ କରିପାରିବ, ତାହା ହେଉଛି ହିନ୍ଦୀ ଭାଷା। ହିନ୍ଦୀ ଦିବସ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ ‘ଗୋଟିଏ ଦେଶ-ଗୋଟିଏ ଭାଷା’ର ଆବଶ୍ୟକତା ରହିଛି । ଭାରତକୁ ଏକତାର ସୂତ୍ରରୁ ବାନ୍ଧିବା କାମ କରୁଥିବା ହିନ୍ଦୀ ଭାଷାର ବହୁଳ ବ୍ୟବହାର ଉପରେ ଶାହ ଗୁରୁତ୍ବାରୋପ କରିଛନ୍ତି। ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କ ସ୍ବପ୍ନକୁ ସାକାର କରବା ପାଇଁ ଦୈନନ୍ଦିନ ଜୀବନରେ ହିନ୍ଦୀ ଭାଷାର ବ୍ୟବହାର ବଢ଼ାଇବାକୁ ହେବ ବୋଲି ଶାହ କହିଛନ୍ତି।

ଦେଶବାସୀ ନିଜ ନିଜର ମାତୃଭାଷାର ବହୁଳ ବ୍ୟବହାର ସହିତ ହିନ୍ଦୀର ବ୍ୟବହାର ମଧ୍ୟ କରିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ କହିଛନ୍ତି। ବିଶ୍ବରେ ଏଭଳି ଅନେକ ଦେଶ ଅଛି ଯାହାର ଭାଷା ଏବେ ବିଲୁପ୍ତ ହୋଇଯାଇଛି। ଯେଉଁ ଦେଶ ନିଜ ଭାଷାକୁ ହରାଇବ ତାହା ନିଜର ଅସ୍ତିତ୍ବ ବି ହରାଇବ ବୋଲି ସେ କହିଛନ୍ତି। ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହିନ୍ଦୀର ଅଧିକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି। ହିନ୍ଦୀ ଦେଶର ୨୨ଟି ଅନୁସୂଚିତ ଭାଷାରୁ ଗୋଟିଏ। ପ୍ରତିବର୍ଷ ୧୪ ସେପ୍‌ଟେମ୍ବରରେ ହିନ୍ଦୀ ଦିବସ ପାଳନ ହେଉଛି।

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିନ୍ଦୀର ପ୍ରୟୋଗ ଉପରେ ଅଧିକ ଗୁରୁତ୍ବ ଦେବାକୁ ଆହ୍ବାନ ଦେବାପରେ ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କର ବହୁ ନେତା ଏହକୁ ବିରୋଧ କରିଛନ୍ତି। ଶାହ ହିନ୍ଦୀ ଭାଷାକୁ ସମସ୍ତଙ୍କ ଉପରେ ଲଦିବାକୁ ପ୍ରୟାସ କରୁଛନ୍ତି ବୋଲି ସେମାନେ କହିଛନ୍ତି। କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଛନ୍ତି, ହିନ୍ଦୀ ଏକ ରାଷ୍ଟ୍ରଭାଷା ବୋଲି ଯେଉଁ ମିଛ ପ୍ରଚାର ଚାଲିଛି ତାହା ବନ୍ଦ ହେବା ଆବଶ୍ୟକ। ଦେଶର ଅନ୍ୟ ୨୨ଟି ଭାଷା ମଧ୍ୟରୁ ଏହାକୁ ଅନ୍ୟତମ ବୋଲି ଗ୍ରହଣ କରିବାକୁ ହେବ। ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ କହିଛନ୍ତି ହିନ୍ଦୀ ଭାଷାକୁ ସମସ୍ତଙ୍କ ଉପରେ ଲଦିବା ଦ୍ବାରା ଦେଶର ଦେଶର ଏକତା ବିପଦଗ୍ରସ୍ତ ହେବ। ଗୃହମନ୍ତ୍ରୀ ହିନ୍ଦୀକୁ ନେଇ ନିଜର ମନ୍ତବ୍ୟ ଫେରାଇ ନେବା ଉଚିତ ବୋଲି ସେ କହିଛନ୍ତି। ଜେଡିଏସ୍‌ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ଯେ ହିନ୍ଦୀ ଦିବସକୁ ଯେଭଳି ପ୍ରାଧାନ୍ୟ ଦିଆଯାଉଛି, କନ୍ନଡ଼ ଦିବସକୁ ମଧ୍ୟ ସେଭଳି ଗୁରୁତ୍ବ କେବେ ମିଳିବ ତାହା କେନ୍ଦ୍ର ସରକାର ସ୍ପଷ୍ଟ କରିବା ଆବଶ୍ୟକ। କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ଶାହଙ୍କ ବୟାନକୁ ସମାଲୋଚନା କରି ହିନ୍ଦୀ ଭାଷାକୁ ସରକାର ଏତେ ଗୁରୁତ୍ବ ଦେବା ଉଚିତ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର