ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ସଂପର୍କିତ ଏକ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। କ୍ୟାବିନେଟ ଅନୁମୋଦନ ପରେ ଏ ସଂକ୍ରାନ୍ତୀୟ ବିଲ୍‌ ସଂସଦରେ ଗୃହୀତ ହୋଇଗଲେ ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା (ପ୍ରଧାନ ବିଚାରପତିଙ୍କୁ ଛାଡ଼ି) ୩୩କୁ ବୃଦ୍ଧି ପାଇବ। ସଂପ୍ରତି ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେଲେ ୩୦ ଜଣ ବିଚାରପତି ଅଛନ୍ତି। ପ୍ରଧାନ ବିଚାରପତିଙ୍କୁ ସାମିଲ କଲେ ସୁପ୍ରିମ୍‌ କୋର୍ଟର ବିଚାରପତି ସଂଖ୍ୟା ଏବେ ୩୧ ରହିଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି ସୁପ୍ରିମ୍‌ କୋର୍ଟରେ ସଂପ୍ରତି ଆଗତ ହେଉଥିବା ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ଦର୍ଶାଇ ଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇଙ୍କ ପତ୍ରକୁ ବିଚାରକୁ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର