ଷ୍ଟେସନ ପରିସରରେ ଚେତନ ଭଗତଙ୍କ ବହି ‘ହାଫ ଗାର୍ଲଫ୍ରେଣ୍ଡ’କୁ ବିକ୍ରି ନ କରିବାକୁ ନିର୍ଦ୍ଦେଶ

ତ୍ରିଚି: ଏଣିକି ତାମିଲନାଡୁର ଜଣାଶୁଣା ରେଳ ଷ୍ଟେସନ ତ୍ରିଚି ପରିସରରେ ଥିବା ବୁକଷ୍ଟଲରେ ଦେଖିବାକୁ ମିଳିବନି ଚେତନ ଭଗତଙ୍କ ‘ହାଫ ଗାର୍ଲଫ୍ରେଣ୍ଡ’ ବହି ସହ ଖୁଶବନ୍ତ ସିଂଙ୍କ ଉପନ୍ୟାସ ‘ଓମେନ, ସେକ୍ସ, ଲଭ ଏଣ୍ଡ ଲଷ୍ଟ’ | କାରଣ ଏହି ଦୁଇଟି ବହିକୁ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ରେଲୱେ ବୋର୍ଡର ଯାତ୍ରୀ ସେବା ସମିତି(ପିଏସସି) ଅଧ୍ୟକ୍ଷ ରମେଶ ଚନ୍ଦ୍ର ରତ୍ନ ପ୍ରସିଦ୍ଧ ଲେଖକ ଖୁଶବନ୍ତ ସିଂଙ୍କ ଉପନ୍ୟାସ ‘ଓମେନ, ସେକ୍ସ, ଲଭ ଏଣ୍ଡ ଲଷ୍ଟ’କୁ ନେଇ ଆପତ୍ତି ଜଣାଇଛନ୍ତି | ସେ ରେଳ ଷ୍ଟେସନରେ ଥିବା ବୁକ ଷ୍ଟଲରୁ ଏହି ବହି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି | ରତ୍ନ, ଚେତନ ଭଗତଙ୍କ ପୁସ୍ତକ ‘ହାଫ ଗାର୍ଲଫ୍ରେଣ୍ଡ’ ବହିକୁ ମଧ୍ୟ ଷ୍ଟେସନ ପରିସରରେ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହା ପୂର୍ବରୁ ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଏହି ବହିକୁ ବିକ୍ରି ନ କରିବାକୁ ରତ୍ନ ନିର୍ଦ୍ଦେଶ ଦେଇଥିଲେ |

 

ଏବାବଦରେ ରମେଶ ଚନ୍ଦ୍ରଙ୍କ କହିବା କଥା ଯେ ଏହାକୁ ପଢିବା ଆବଶ୍ୟକ ନାହିଁ, ଏହାର ପ୍ରଛଦ ପୃଷ୍ଠା ହିଁ ବହି ଭିତରେ କଣ ଲେଖାଯାଇଛି ତାହା ଦର୍ଶାଉଛି | ରେଳ ଆଇନ ଏଭଳି ଅଶ୍ଳୀଳ ପୁସ୍ତକ ବିକ୍ରି ରୋକିବାକୁ ଅଧିକାର ଦେଇଛି ବୋଲି ରତ୍ନ କହିଛନ୍ତି |

ଏଠାରେ ସୂଚନା ଥାଉ କି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ଖୁଶବନ୍ତ ସିଂଙ୍କ ଉପନ୍ୟାସ ‘ଓମେନ, ସେକ୍ସ, ଲଭ ଏଣ୍ଡ ଲଷ୍ଟ’ ତାଙ୍କର କିଛି ସର୍ବଶ୍ରେଷ୍ଠ ରଚନା ମଧ୍ୟରୁ ଗୋଟିଏ ବୋଲି ସମସ୍ତେ ଜାଣନ୍ତି | ସେହିପରି ହାଫ ଗାର୍ଲଫ୍ରେଣ୍ଡ ପୁସ୍ତକ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ବେଶ ଆଦୃତି ପାଇଥିଲା | ଏହାକୁ ନେଇ ସିନେମା ମଧ୍ୟ ନିର୍ମାଣ ହୋଇଥିଲା |

ସମ୍ବନ୍ଧିତ ଖବର