ଶୀଘ୍ର ନିର୍ବାଚନ କର, ନଚେତ ଗୃହଯୁଦ୍ଧ ହେବ: ଇମ୍ରାନଙ୍କ ଦଳ ଦେଲା ଚେତାବନୀ

ଲାହୋର: ଇମ୍ରାନ ଖାନଙ୍କ ଦଳ ବର୍ତ୍ତମାନର ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇଛନ୍ତି | ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ କହିଛନ୍ତି ଯେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଆଲୋଚନା କରିବାକୁ ଚାଁହୁଛନ୍ତି ଓ ଶୀଘ୍ର ନିର୍ବାଚନ କରିବା ବିଷୟରେ କଥା ହେବେ । ସେ ସୂଚନା ଦେଇଛନ୍ତି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳ ମେ ମାସ ଶେଷ ସୁଦ୍ଧା ଇସଲାମାବାଦ ଅଭିମୁଖେ ଏକ ଦୀର୍ଘ ପଦଯାତ୍ରା କରିବ ଏବଂ ନିର୍ବାଚନ ତାରିଖ ଘୋଷଣା ନହେବା ଯାଏଁ ପଛକୁ ଫେରିବ ନାହିଁ। ଆଉ ଏଭଳି ହେଲେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ | ସୂଚନା ମୁତାବକ ଇମ୍ରାନ ଖାନ ମେ ମାସର ଶେଷ ସପ୍ତାହରେ ଇସ୍‌ଲାମାବାଦ ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଥିଲେ।

ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ କହିଛନ୍ତି ଯେ ‘ମୁଁ ସେନା ସହ ଶାନ୍ତି ସପକ୍ଷରେ ଅଛି ଏବଂ ସମାଧାନ ଚାହୁଁଛି କିନ୍ତୁ ‘ଯୁଦ୍ଧ’ ହେଲେ ମୁଁ ଇମ୍ରାନ ଖାନଙ୍କ ସହ ଠିଆ ହେବି’। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରର ନିରନ୍ତରତା ବଜାୟ ରଖିବାକୁ ସେନା ଚାହୁଁଛି ଏବଂ ଏହାକୁ ବଜାୟ ରଖିବାର ଏକମାତ୍ର ଉପାୟ ହେଉଛି ସାଧାରଣ ନିର୍ବାଚନ ହେଉ ।

ଯଦି ଶୀଘ୍ର ନିର୍ବାଚନ ନ ହେବ, ତେବେ ଶାହାବାଜ ସରିଫଙ୍କ ସରକାର ସହ ଇମ୍ରାନଙ୍କ ସରକାର ମଧ୍ୟ ବଞ୍ଚିବ ନାହିଁ | ରସିଦ ସ୍ୱୀକାର କରିଛନ୍ତି ଯେ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ସମୟରେ କିଛି ଅସୁବିଧା ରହିଲା, ଯେଉଁଥିପାଇଁ ବଲୁଚିସ୍ତାନ ଆବାମ ପାର୍ଟି(ବାପ), ମୁତାହୀଦ୍ଦ କୋମି ମୁଭମେଣ୍ଟ(ଏମକ୍ୟୁଏମ) ଓ ପାକିସ୍ତାନ ମୁସଲିମ ଲିଗ୍- କ୍ୟୁ ଭଳି ସହଯୋଗୀମାନେ ଆମଠାରୁ ଦୂରେଇ ଯାଇଛନ୍ତି। ସେ କହିଛନ୍ତି ଯେ ଇମ୍ରାନ ଖାନ ଇସଲାମାବାଦରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଯାଉଛନ୍ତି ଏବଂ ଏଭଳି ପରିସ୍ଥିତିରେ ଦେଶ ଅନିଶ୍ଚିତତା ଭିତରକୁ ଚାଲିଯିବ ଯାହା ଦ୍ୱାରା ଗୃହଯୁଦ୍ଧ ହୋଇପାରେ।

ସମ୍ବନ୍ଧିତ ଖବର