ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ପଞ୍ଜାବ ସରକାର ଆଜି ନଗଦ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଆଜି ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାରେ ଜର୍ମାନିକୁ ପରାସ୍ତ କରି ଭାରତ କାଂସ୍ୟପଦକ ହାସଲ କରିଛି।

ଭାରତ ଜର୍ମାନିକୁ ୪-୫ ଗୋଲ୍‌ରେ ପରାସ୍ତ କରିବା ପରେ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂହ ସୋଢ଼ି ଉପରୋକ୍ତ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଟୁଇଟ୍ କରି ସୋଢ଼ି ଲେଖିଛନ୍ତି, ଭାରତୀୟ ହକି ଲାଗି ଅବିସ୍ମରଣୀୟ ଆଜିର ଦିନରେ ପଞ୍ଜାବରୁ ସାମିଲ ହୋଇଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଲେଖାଏଁ ଅର୍ଥରାଶି ପୁରସ୍କାର ଘୋଷଣା କରି ମୁଁ ଆନନ୍ଦିତ। ଅଲିମ୍ପିକ୍ କ୍ରୀଡ଼ାରେ ଏହି ପଦକପ୍ରାପ୍ତିକୁ ଆଡ଼ମ୍ବର ସହକାରେ ପାଳନ କରିବା ଲାଗି ଆପଣମାନଙ୍କର ପ୍ରତ୍ୟାଗମନକୁ ପ୍ରତୀକ୍ଷା କରିଛୁ।

Image Courtesy of The Indian Express

ଭାରତୀୟ ହକି ଟିମ୍‌ରେ ସ୍କିପର୍‌ ମନପ୍ରୀତ୍‌ ସିଂହଙ୍କ ସମେତ ପଞ୍ଜାବର ୮ଜଣ ଖେଳାଳି ଅଛନ୍ତି। ଅନ୍ୟ ଖେଳାଳିମାନେ ହେଲେ, ହର୍‌ମନ୍‌ପ୍ରୀତ୍ ସିଂହ, ରୁପିନ୍ଦର ପାଲ୍ ସିଂହ, ହାର୍ଦ୍ଦିକ ସିଂହ, ଶାମଶେର୍‌ ସିଂହ, ଦିଲ୍‌ପ୍ରୀତ୍‌ ସିଂହ, ଗୁରଜନ୍ତ ସିଂହ ଏବଂ ମନଦୀପ ସିଂହ।

ଅଲିମ୍ପିକ୍‌ କ୍ରୀଡ଼ାରେ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ଟିମ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦଳର କପ୍ତାନ ମନପ୍ରୀତ୍‌ ସିଂହ ଏବଂ ପ୍ରଧାନ ପ୍ରଶିକ୍ଷକ ଗ୍ରାହମ୍ ରିଡ୍‌ ଏବଂ ସହକାରୀ ପ୍ରଶିକ୍ଷକ ପୀୟୂଷ ଦୁବେଙ୍କ ସହ ମଧ୍ୟ ବାର୍ତ୍ତାଳାପ କରି ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେଲିଫୋନ୍ ଯୋଗେ ଭାରତୀୟ ପୁରୁଷ ହକି ଟିମ୍‌ ସହ କଥାବାର୍ତ୍ତା କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର