ରାଫେଲ୍‌ ବିବାଦ: ମୂଲ୍ୟ ତଥ୍ୟ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୋମବାର କେନ୍ଦ୍ର ସରକାର ରାଫେଲ ଯୁଦ୍ଧ ବିମାନ ଚୁକ୍ତିର ମୂଲ୍ୟ ସମ୍ପର୍କିତ ଦସ୍ତାବିଜ ଦାଖଲ କରିଛନ୍ତି। ଏ ବାବଦରେ ସୁପ୍ରିମ୍‌ କୋର୍ଟରେ ସରକାରଙ୍କ ବିରୋଧରେ ଆବେଦନ କରିଥିବା ସମସ୍ତ ପକ୍ଷଙ୍କୁ ଚୁକ୍ତି ବିବରଣୀ ଦସ୍ତାବିଜ ମଧ୍ୟ ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ସମସ୍ତ ନିୟମକୁ ପାଳନ କରାଯାଇ ରା‌ଫେଲ୍‌ ଚୁକ୍ତି କରାଯାଇଛି। ଏମିତି କି ଡାସଲ୍ଟ ଏଭିଏସନ୍‌ର ଭାରତୀୟ ଅଫ୍‌ସେଟ୍‌ ସହଯୋଗୀ ବାଛିବାରେ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ୩୬ ରାଫେଲ୍‌ ବିମାନ ମୂଲ୍ୟର ବିବରଣୀ ଦେବା ପାଇଁ ହୋଇଥିବା ନିର୍ଦ୍ଦେଶକୁ ଆଖିରେ ରଖି କେନ୍ଦ୍ର ସରକାର ନିଜ ଜବାବ ଜଉମୁଦ ଲଫାପାରେ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଛନ୍ତି।
ଆବେଦନକାରୀଙ୍କୁ ଦିଆଯାଇଥିବା ଦସ୍ତାବିଜ‌ରେ କେନ୍ଦ୍ର କହିଛି ଯେ ରାଫେଲ୍‌ ଚୁକ୍ତି ପୂର୍ବରୁ ଫ୍ରାନ୍ସ ସରକାରଙ୍କ ସହ ଏ ବାବଦରେ ବର୍ଷେ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ସେହିଭଳି ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଏସ୍‌)ର ମଞ୍ଜୁରି ହାସଲ କରାଯିବା ପରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସରକାର କହିଛନ୍ତି ଯେ ଭାରତୀୟ ଅଫ୍‌ସେଟ୍‌ ସହଯୋଗୀ ଚୟନ କ୍ଷେତ୍ରରେ ସରକାର ଆଦୌ ହସ୍ତକ୍ଷେପ କରିନାହାନ୍ତି। ବିଦେଶୀ କମ୍ପାନି ଉପରେ ଏହା ଛାଡ଼ିଦିଆଯାଇଥିଲା।

ସମ୍ବନ୍ଧିତ ଖବର