କୂଅରେ ପଡ଼ି ୨ ଅଙ୍ଗନବାଡ଼ି ଶିଶୁଙ୍କ ମୃତ୍ୟୁ

ଖମାର : ଖମାର ଥାନା ଆଲୋରି ପ˚ଚାୟତ ଅର୍ଜୁନଝରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଦୁଇଜଣ ଅଙ୍ଗନବାଡ଼ି ଛାତ୍ରୀ କେନ୍ଦ୍ରରୁ ଘରକୁ ଫେରୁଥିବାବେଳେ ଏକ କୂଅର ପଡ଼ି ପ୍ରାଣ ହରାଇଛନ୍ତି। ଦୁଇ କୋମଳମତି ଶିଶୁଙ୍କ ଅକାଳ ମୃତ୍ୟୁ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। କିପରି ଦୁଇ ଶିଶୁ କୂଅରେ ଖସି ପଡ଼ିଲେ ଅଥଚ କେହି ଜାଣିପାରିଲେନି, ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଡାକ୍ତରଖାନା ପଠାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଜୁର୍ନଝରି ଗ୍ରାମର କ୍ଷେତ୍ରବାସୀ କିସାନଙ୍କ ଝିଅ ପଲ୍ଲବୀ (୪),ବିପିନି କିସାନଙ୍କ ଝିଅ ଲଭ୍୍ଲି କିସାନ(୪)ଓ ପୁଅ ନିଖିଲ (୩) ପ୍ରତିଦିନ ସକାଳେ ଘର ଠାରୁ ଏକ କିଲୋମିଟର ଦୂର ଆ‌େଲାରି ଅଙ୍ଗନବାଡ଼ି କେନ୍ଦ୍ର ଯାଆନ୍ତି। ସବୁଦିନ ଭଳି ଆଜି ଦିନ ୧୨ଟା ସମୟରେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରୁ ଘରକୁ ଫେରୁଥିଲେ। ତେବେ ମୁଖ୍ୟ ରାସ୍ତାରେ ନ ଯାଇ ଘରକୁ ଶୀଘ୍ର ଫେରିବା ପାଇଁ ଉଭୟେ ଜମିମାଳ ଦେଇ ଆସୁଥିଲେ। ବାଟରେ ଆସୁଥିବା ବେଳେ ଏକ ଚାନ୍ଦିନୀ ବିହୀନ କୂଅରେ ପଲ୍ଲବୀ ଓ ଲଭଲି ପଡ଼ି ଯାଇଥିଲେ। ଏହା ଦେଖି ନିଖିଲ ତୁରନ୍ତ ଘରକୁ ଆସି ବାପା ଓ ମାଆଙ୍କୁ ଏ ବିଷୟରେ ଜଣାଇଥିଲା। ଉଭୟ ପରିବାର ଲୋକ ତୁରନ୍ତ କୂଅ ପାଖରେ ପହଞ୍ଚି ପାଣିରୁ ପଲ୍ଲବୀ ଓ ଲଭଲିଙ୍କୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଖମାର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖମାର ଥାନା ଅଧିକାରୀ ସନ୍ତୋଷ ମିର୍ଦ୍ଧା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାଳଲହଡ଼ା ପଠାଇଥିଲେ।

ସମ୍ବନ୍ଧିତ ଖବର