‘ମୋଦୀ’ ସାଙ୍ଗିଆ ମନ୍ତବ୍ୟ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଲେ ସୁରତ ଅଦାଲତ

ନୂଆଦିଲ୍ଲୀ: ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ୨୦୧୯ ଏପ୍ରିଲ୍‌ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ଆଗତ ମାନହାନି ମାମଲାର ଶୁଣାଣି କରି ଆଜି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।

ଏହି ମାମଲାରେ ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ ରାହୁଲ୍‌ ମଧ୍ୟ ୩୦ ଦିନ ପାଇଁ ଜାମିନ ପାଇଛନ୍ତି। ଏହାଛଡ଼ା, ଏହି ନି‌ଷ୍ପତ୍ତି ଉପରେ ଆବେଦନ କରିବା ଲାଗି ମଧ୍ୟ ତାଙ୍କୁ ଅନୁମତି ମିଳିଛି।

ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ। ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।

Image Courtesy of NDTV

ସୂଚନାଯୋଗ୍ୟ, ପଳ‌ାତକ ବ୍ୟବସାୟୀ ନିରବ ମୋଦୀ, ଲଳିତ ମୋଦୀ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଏବଂ ବିଶେଷକରି, ପ୍ରଧାନମନ୍ତ୍ରୀଙ୍କର ସାଙ୍ଗିଆ ମୋଦୀ ହୋଇଥିବାରୁ ରାହୁଲ୍‌ଙ୍କ ମନ୍ତବ୍ୟ ପ୍ରତି ‘ବିଜେପି’ ଖୁବ୍‌ ପ୍ରତିକ୍ରିୟାଶୀଳ ‌ହୋଇପଡ଼ିଥିଲା।

ଆଜି ବିଚାର ପାଇଁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ସୁରତ ଅଦାଲତରେ ହାଜର ହେବା ଆଗରୁ ତାଙ୍କୁ ସମର୍ଥନ କରି କଂଗ୍ରେସ ପାର୍ଟି ଅଦାଲତ ବାହାରେ ବିଭିନ୍ନ ପୋଷ୍ଟର୍‌ ଲଗାଇଥିଲା। ଭଗତ ସିଂହ ଓ ସୁଖଦେବଙ୍କ ଫଟୋ ଥାଇ ଉକ୍ତ ପୋଷ୍ଟର୍‌ରେ ଉଲ୍ଲେଖ ଥିଲା ଗଣତନ୍ତ୍ରକୁ ସମର୍ଥନ କରିବା ଲାଗି ସୁରତ ଚାଲନ୍ତୁ।

ଅଦାଲତଙ୍କ ରାୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଅର୍ଜୁନ ମୋଧୱାଦିଆ କହିଛନ୍ତି, ସତ୍ୟ କଠୋର ପରୀକ୍ଷା ଓ କଷ୍ଟର ସମ୍ମୁଖୀନ ହୋଇଥାଏ। କିନ୍ତୁ, ଏକା ସତ୍ୟର ହିଁ ବିଜୟ ହୋଇଥାଏ। ଗାନ୍ଧୀଙ୍କ ନାମରେ ଏକାଧିକ ମିଥ୍ୟା ମାମଲା ରୁଜୁ କରାଯାଇଛି। ସେ ଏସବୁ ମାମଲାରୁ ମୁକ୍ତ ହୋଇଯିବେ। ଆମ ପ୍ରତି ସୁବିଚାର ହେବ।

ସମ୍ବନ୍ଧିତ ଖବର