ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଅଯୋଗ୍ୟ: ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର ସୁବ୍ୟବସ୍ଥିତ ନିଷ୍ଠା ନାହିଁ ବୋଲି ‘ପଡ୍‌କାଷ୍ଟ୍‌ ୱିଥ୍‌ ସ୍ମିତା ପ୍ରକାଶ’ର ଦ୍ବିତୀୟ ଅଧ୍ୟାୟରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ସାକ୍ଷାତ୍‌କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।

ତାଙ୍କ ମତରେ ନିଷ୍ଠାର ସହ ଆରମ୍ଭ ନ ହୋଇଥିବା ଯେକୌଣସି କାର୍ଯ୍ୟ ପରବର୍ତ୍ତୀ ସମୟରେ ଅହଙ୍କାରର କାରଣ ହୋଇଥାଏ। ସେ କହିଛନ୍ତି, ଏବେ ସେ ଆପଣଙ୍କ ସହିତ ଆଳାପ କରୁଥିବେ, ଆଉ ଟିକେ ପରେ ସ‌େ ବାହାରକୁ ଚାଲିଯିବେ। ଆପଣ ତାଙ୍କୁ ଅପେକ୍ଷା କରି ବସିଥିବା ବେଳେ ସେ ବାହାରେ ଥଟ୍ଟାମଜା କରୁଥି‌ବେ। ଅଧ ଘଣ୍ଟା ପରେ ପୁଣି ସେ ଆସି ଆପଣଙ୍କ ନିକଟରେ ହାଜର ହେବେ।

କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ଏବଂ ରାଜସ୍ଥାନ ସଙ୍କଟ ସଂକ୍ରାନ୍ତରେ ମନ୍ତବ୍ୟ ଦେବା ବେଳେ ସେ ଉପରୋକ୍ତ କଥା କହିଛନ୍ତି। ସେ କହିଛନ୍ତି, କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ତାଙ୍କର ବଡ଼ ପରିବାର ହୋଇଥିବାରୁ ସେ ସାମନ୍ତ ପରି ଆଚରଣ କରନ୍ତି। ଏବେ ସେ କଂଗ୍ରେସର ଅଧ୍ୟକ୍ଷ ନୁହନ୍ତି। ମାତ୍ର ସମସ୍ତ ନିଷ୍ପତ୍ତି ନିଅନ୍ତି। ଆପଣ ଲୋକସଭା ପରାଜୟ ପାଇଁ ଦାୟୀ ହୋଇଥିଲେ ସୁଦ୍ଧା ସମଗ୍ର ଦଳ କାହିଁକି ଆପଣଙ୍କୁ ସମର୍ଥନ କରୁଛି?

Image Courtesy of The Squadron News

ଆପଣ ପଦବୀରେ ନାହାନ୍ତି, ମାତ୍ର କ୍ଷମତା ଜାହିର କରୁଛନ୍ତି। ‘ଉପା’ରେ ଆପଣ ପ୍ରଥମ କି, ଦ୍ବିତୀୟ ପଦବୀରେ ନାହାନ୍ତି, କିନ୍ତୁ ସମସ୍ତେ ତାଙ୍କ ଘରକୁ ଯାଉଛନ୍ତି। ଉତ୍ତରଦାୟୀ ନ‌ ହୋଇ ଆପଣ କ୍ଷମତା ଉପଭୋଗ କରିବାକୁ ଚାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଛାଡ଼ିବା ପୂର୍ବରୁ ମୁଁ ଦ୍ବନ୍ଦରେ ପଡ଼ିଯାଇଥିଲା। ରାହୁଲ୍‌ ଗାନ୍ଧୀ ଯେଉଁ ସ୍କୁଲ୍‌ରେ ପଢୁଥିଲେ ମୋ ପୁଅ ବି ସେହି ସ୍କୁଲ୍‌ରେ ପଢୁଥିଲା। ସେ ୯ମ ଶ୍ରେଣୀରେ ପଢୁଥିଲା। ସେ କହିଲା, ରାହୁଲ୍‌ ଗାନ୍ଧୀ ଆମ ସ୍କୁଲ୍‌ର ପ୍ରାକ୍ତନ ଛାତ୍ର ଥିଲେ ବି ତାଙ୍କର କୌଣସି କଥା ପ୍ରଭାବିତ କରେ ନାହିଁ ବୋଲି ପିଲାମାନେ ଆଲୋଚନା କରୁଛନ୍ତି। ଏ କଥା ଶୁଣି ମୁଁ ଭାବିଲି, ରାଜନୀତିରେ ସମ୍ପୃକ୍ତ ନ ଥିବା ୮ମ/୯ମ ଶ୍ରେଣୀର ପିଲାମାନେ ଯଦି ଏମିତି ମନେକରୁଥିବା ବେଳେ ମ‌ୁଁ ସେ ଦଳରେ ଆଦୌ ରହିବା ଅନୁଚିତ।

‌ଜଣେ ନେତା ଦଳ ଛାଡ଼ିଲେ ସେମାନେ କହନ୍ତି, ଆପଣ ପରିବାର ପ୍ରତି ବିଶ୍ବାସଘାତକତା କଲେ। ସେମାନେ କହନ୍ତି ନାହିଁ ଯେ, ଆପଣ ଦେଶବାସୀଙ୍କପ୍ରତି ବିଶ୍ବାସଘାତକତା କଲେ। କିନ୍ତୁ, ପ୍ରକୃତରେ ଦେଶବାସୀ ହିଁ ଆପଣଙ୍କୁ ସାଂସଦ କରନ୍ତି। ମାତ୍ର ସେମାନେ ମନେକରନ୍ତି‌ ଯେ, ସେମାନେ ହିଁ ଆପଣଙ୍କୁ ସାଂସଦ କରିଛନ୍ତି।

ସମ୍ବନ୍ଧିତ ଖବର