ସିବିଆଇ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ତେଜିଲା ରାଜନୀତି: ମୋଦିଙ୍କ ଉପରେ ବର୍ଷିଲେ ବିରୋଧୀ

ଆଉ କେହି ମୋଦିଙ୍କୁ ବଞ୍ଚାଇ ପାରିବେ ନାହିଁ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ପଦବୀରେ ପୁନଃ ଅବସ୍ଥାପିତ କରିବା ସହ ସିଲେକ୍ଟ କମିଟିର ବିନା ଅନୁମୋଦନରେ ତାଙ୍କୁ ଛୁଟିରେ ପଠାଇବା ଅଧିକାର ସରକାରଙ୍କର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି।

ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ନାକଚ କରିବା ପରେ କଂଗ୍ରେସ ପକ୍ଷରୁ ଏହାର କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ମୁଖପାତ୍ର ରନ୍‌ଦୀପ୍‌ ସିଂ ସୁର୍ଯେଓ୍ଵାଲା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ମୋଦି ସରକାର ଲାଗି ଏକ ଉଚିତ ଶିକ୍ଷା। ଜଣେ ଯେତେ ବି କ୍ଷମତାଶାଳୀ ଓ ଏକ ଛତ୍ରବାଦୀ ହେଉ, ଶେଷରେ ସେ ଆଇନ ହାତରେ ହିଁ ଧରାପଡ଼ିବ। ଏକ ଗଣତାନ୍ତ୍ରିକ ଅନୁଷ୍ଠାନର ସ୍ୱାଧୀନତାରେ ହସ୍ତକ୍ଷେପ କରି ତାହାର ବିଶ୍ୱସନୀୟତାକୁ ଭାଙ୍ଗିବାର ଉଚିତ ଜବାବ ମିଳିଛି।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି କି ଆଉ କେହି ମୋଦିଙ୍କୁ ବଞ୍ଚାଇ ପାରିବେ ନାହିଁ। ସିବିଆଇ ମୁଖ୍ୟ ଆଲୋକ ବର୍ମା ରାଫେଲ୍‌ ଚୁକ୍ତିର ତଦନ୍ତ କରୁଥିଲେ। ଏବେ ସେ ଫେରି ଆସିଛନ୍ତି।

ଅନ୍ୟପକ୍ଷରେ ସିପିଆଇ-ଏମ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରାଯାଇଛି।  ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଲାଗି ମୋଦି ସରକାର ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେଇଛନ୍ତି। ବିବେକ ଥିଲେ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍‌ କରି କହିଛନ୍ତି ସୁପ୍ରିମକୋର୍ଟଙ୍କ ଏହି ରାୟ ସିଧା ପ୍ରଧାନମନ୍ତ୍ରୀଙ୍କୁ ଦୋଷୀ କରିଛି। ମୋଦି ସରକାର ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରି ଦେଇଛନ୍ତି। ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି ମଧ୍ୟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ସେ କହିଛନ୍ତି, ସିବିଆଇର ନିର୍ଦ୍ଦେଶକଙ୍କୁ ଛୁଟିରେ ଯିବା ନିଷ୍ପତ୍ତି ସରକାରଙ୍କର ନଥିଲା। ସିଭିସିଙ୍କ ସୁପାରିଶ କ୍ରମେ ସରକାର ଏହି ନିଷ୍ପତ୍ତି ନେଇଥିଲେ। ସିବିଆଇର ନିରପେକ୍ଷତା ବଜାୟ ରଖିବା ଲାଗି ଦୁର୍ନୀତି ଅଭିଯୁକ୍ତ ଦୁଇ ଅଧିକାରୀଙ୍କୁ ଛୁଟିରେ ପଠା ଯାଇଥିଲା।

ସମ୍ବନ୍ଧିତ ଖବର