ଗାଜିଆବାଦ: ବେଆଇନ ବନ୍ଧୁକ କାରଖାନା ଉପରେ ଚଢ଼ଉ, ୪ ଗିରଫ

ଗାଜିଆବାଦ : ଗାଜିଆବାଦ ପୁଲିସ ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। କାଂଶୀରାମ ଯୋଜନାରେ ତିଆରି ହୋଇଥିବା ଏକ ଅବ୍ୟବହୃତ ଫ୍ଲାଟରେ ଚୋରୋରେ ଏହି କାରଖାନା ଚଲାଯାଉଥିଲା। ଗିରଫ ଲୋକମାନେ ହେଉଛନ୍ତି- ରିହାନ, ସୂରଜ ବର୍ମା, ସମୀର ଓ ଆର୍ୟାନ ତ୍ୟାଗୀ।

ଗିରଫ ଅଭିଯୁକ୍ତମାନଙ୍କ କହିବା ଅନୁସାରେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ପୌର ନିର୍ବାଚନ ଉପଲକ୍ଷେ ଏହି ବନ୍ଧୁକ ସବୁ ତିଆରି କରାଯାଇଥିଲା। ସେଗୁଡ଼ିକୁ ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ବିକ୍ରି କରାଯାଇଥାନ୍ତା। ସେମାନେ ଦେଶୀ ବନ୍ଧୁକ ଗୋଟା ୫୦୦୦ ଓ ଅନ୍ୟ ବନ୍ଧୁକକୁ ୩୫,୦୦୦ ଟଙ୍କାରେ ବିକ୍ରି କରନ୍ତି। ପୁଲିସ ପ୍ରାୟ ୩୦୦ ଦେଶୀ ପିସ୍ତଲ ଜବତ କରିଛି।

ଗ୍ରାମାଞ୍ଚଳ ଏସ୍‌ପି ଇରାଜ ରାଜାଙ୍କ କହିବା ଅନୁସାରେ ବେଆଇନ ଅସ୍ତ୍ର କାରଖାନା ସମ୍ବନ୍ଧରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭୋଜପୁର ପୁଲିସ ଓ ସ୍ବତନ୍ତ୍ର ଅପରେସନ ଗ୍ରୁପ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ବନ୍ଧୁକ ଓ ଗୁଳିଗୋଳା ସମେତ ସେସବୁ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମିରଟ ଅଞ୍ଚଳର। ସେମାନେ ସେଠାରୁ ଯନ୍ତ୍ରାଂଶ ମଗାଇ ଏଠାରେ ଆସେମ୍ବଲ କରୁଥିଲେ। ଅଭିଯୁକ୍ତମାନେ ଉକ୍ତ ଫ୍ଲାଟରେ ୨୦ ଦିନ ହେଲା ରହୁଥିଲେ ଏବଂ ଗାଜିଆବାଦ, ମିରଟ, ବାଗପତ ପ୍ରଭୃତି ବିଭିନ୍ନ ସ୍ଥାନରେ ବହୁ ଲୋକଙ୍କୁ ବନ୍ଧୁକ ବିକ୍ରି କରିଛନ୍ତି। ଏହି ରୢାକେଟରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି ଏବଂ କେଉଁମାନଙ୍କୁ ସେମାନେ ବନ୍ଧୁକ ବିକ୍ରି କରିଛନ୍ତି ତା’ ଉପରେ ତଦନ୍ତ କରାଯାଉଛି। ପୁଲିସ ନଜରକୁ ଏଡ଼ାଇବା ପାଇଁ ସେମାନେ ଘନଘନ ସ୍ଥାନ ପରିବର୍ତ୍ତନ କରନ୍ତି ବୋଲି ଗ୍ରାମାଞ୍ଚଳ ଏସ୍‌ପି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର