୪ ବର୍ଷ ତଳେ ଟ୍ରେନ୍ ଭିତରେ ମୂଷା କାମୁଡ଼ାର ଶିକାର ହୋଇଥିବା ଯାତ୍ରୀଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ରେଳ ବିଭାଗକୁ ନିର୍ଦ୍ଦେଶ
ଚେନ୍ନାଇ (ତାମିଲନାଡ଼ୁ): ଆଜକୁ ଚାରି ବର୍ଷ ତଳେ ଏକ ଟ୍ରେନ୍ରେ ଯାତ୍ରା କରୁଥିବା କାଳରେ ଜନୈକ ଯାତ୍ରୀଙ୍କୁ ଟ୍ରେନ୍ ଭିତରେ ଏକ ମୂଷା କାମୁଡ଼ି ଦେଇଥିଲା। ତେବେ, ମୂଷା କାମୁଡ଼ିବା ପରେ ସେ ଘଟଣା ଟ୍ରେନର ଟିଟିଇଙ୍କ ଦୃଷ୍ଟିକୁ ଆଣିଥିଲେ ସୁଦ୍ଧା ତାଙ୍କୁ ଟ୍ରେନ୍ ଭିତରେ କୌଣସି ପ୍ରକାରର ପ୍ରାଥମିକ ଚିକିତ୍ସା ସୁବିଧା ମିଳିପାରି ନଥିଲା। ପରବର୍ତ୍ତୀ ସମୟରେ ଏଥିପାଇଁ ସେ ଗୁରୁତର ହୋଇ ପଡ଼ିବା ସହ ଚିକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହି ଘଟଣାରେ କ୍ଷତିପୂରଣ ଦାବି କରି ସଂପୃକ୍ତ ଯାତ୍ରୀ ଖାଉଟି ଅଦାଲତରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଶୁଣାଣି କରି ଖାଉଟି ଅଦାଲତ ଗତ ବୁଧବାର ଦିନ ସଂପୃକ୍ତ ଯାତ୍ରୀଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ସହ ଚିକିତ୍ସା ବାବଦରେ ଅତିରିକ୍ତ ୨ ହଜାର ଟଙ୍କା ଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ୨୦୧୪ ଅଗଷ୍ଟ ୮ ତାରିଖରେ ଭେଙ୍ଗଟଚେଲମ୍ ନାମକ ଜନୈକ ଯାତ୍ରୀ ଏକ ଟ୍ରେନ୍ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲେ। ତେବେ, ଟ୍ରେନ୍ରେ ସେ ଶୋଇଥିବା ବେଳେ ଏକ ମୂଷା ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ଯାହା ଫଳରେ ମୂଷା କାମୁଡ଼ିଥିବା ସ୍ଥାନରୁ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହେବାକୁ ଲାଗିଥିଲା। ଏହି ଘଟଣାରେ ଅତ୍ୟନ୍ତ ଡରିଯାଇ ଭେଙ୍ଗଟଚେଲମ୍ ଟ୍ରେନ୍ରେ ଥିବା ଟିଟିଇଙ୍କୁ ଘଟଣା ସଂପର୍କରେ କହିଥିଲେ। ହେଲେ, ଟିଟିଇ ପରବର୍ତ୍ତୀ ଷ୍ଟେସନରେ ତାଙ୍କୁ ଚିକିତ୍ସା ଯୋଗାଇ ଦେବେ ବୋଲି କହି ପୂରା ଘଟଣାକୁ ଏଡ଼ାଇ ଯାଇଥିଲେ। ଏପରିକି ସାମାନ୍ୟ ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦେଇ ନଥିଲେ ଟିଟିଇ।
ପରେ ଚେନ୍ନାଇ ଷ୍ଟେସନରେ ଓହ୍ଲାଇବା ପରେ ସେ ଏକ ଘରୋଇ ହସ୍ପିଟାଲକୁ ଯାଇ ନିଜର ଚିକିତ୍ସା କରାଇଥିଲେ। ତେବେ, ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ ହୋଇ ଯାଇଥିବା କାରଣରୁ ତାଙ୍କ ଶରୀରରେ ମୂଷା କାମୁଡ଼ିଥିବା ସ୍ଥାନଟି ବିଷାକ୍ତ ହୋଇଯାଇଥିଲା। ଏବଂ ଏହାର ଚିକିତ୍ସା ପାଇଁ ତାଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିଥିଲା।
ତେବେ, ରେଳ ବିଭାଗର ଏପରି ଖାମ୍ଖିଆଲି ନୀତିର ବିରୋଧ କରି ଭେଙ୍କଟଚେଲମ୍ ଜିଲ୍ଲା ଖାଉଟି ଅଦାଲତରେ ରେଳ ବିଭାଗ ବିରୋଧରେ ଏକ ମାମଲା ଆଗତ କରିଥିଲେ। ଖାଉଟି ଅଦାଲତର ସଭାପତି ଆର ଭି ଦୀନାଦୟାଲମ୍ ଓ ସଦସ୍ୟ ଏସ୍ ରାଜଲକ୍ଷ୍ମୀ ବୁଧବାର ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ଭେଙ୍କଟଚେଲମ୍ଙ୍କୁ କ୍ଷତିପୂରଣ ବାବଦରେ ୨୫ ହଜାର ଟଙ୍କା ସହ ଚିକିତ୍ସା ବାବଦରେ ଅତିରିକ୍ତ ୨ ହଜାର ଟଙ୍କା ଦେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏହି ଅର୍ଥ ୩ ମାସ ମଧ୍ୟରେ ତାଙ୍କୁ ଯେପରି ପ୍ରଦାନ କରାଯାଏ ତାହାକୁ ନିଶ୍ଚିତ କରିବାକୁ ମଧ୍ୟ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ।