୪ ହଜାର କିମି ଦୀର୍ଘ ରେଳ କରିଡର ନିର୍ମାଣ କରିବ ଭାରତୀୟ ରେଳ, ଓଡ଼ିଶା ଓ ଆନ୍ଧ୍ରର ବିଭିନ୍ନ ବନ୍ଦରକୁ ଦେଶର ପ୍ରମୁଖ ଶିଳ୍ପାଞ୍ଚଳ ସହ ଯୋଡ଼ିବ

ନୂଆଦିଲ୍ଲୀ : ଦେଶରେ ରେଳ ଭିତ୍ତିଭୂମି କ୍ଷେତ୍ରକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଭାରତୀୟ ରେଳ କେତେକ ବୃହତ ପ୍ରକଳ୍ପର ପରିକଳ୍ପନା କରିଛି । ଏହି ପରକଳ୍ପନା ମାଧ୍ୟମରେ ଦେଶର ପୂର୍ବ, ପଶ୍ଚିମ ଭାଗରେ ଥିବା ବନ୍ଦର ଓ ଶିଳ୍ପାଞ୍ଚଳଗୁଡ଼ିକୁ ଦକ୍ଷିଣ ଭାରତ ସହ ସଂଯୁକ୍ତ କରିବାକୁ ପ୍ରାୟ ୪ ହଜାର କିଲୋମିଟର ଦୀର୍ଘ  ସ୍ବତନ୍ତ୍ର ମାଲବାହୀ ରେଳଟ୍ରାକ୍ ବା ଡେଡିକେଟେଡ ଫ୍ରାଇଟ କରିଡର(ଡିଏଫସି) ନିର୍ମାଣ କରାଯିବ । ଏହା ଦ୍ୱାରା ଦେଶର ଶିଳ୍ପ ବିକାଶ ତ୍ୱରାନ୍ଵିତ ହେବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଡିଏଫସି ମଧ୍ୟରେ ରହିଛି ପଶ୍ଚିମବଙ୍ଗର ଖଡ଼ଗପୁରରୁ ଓଡ଼ିଶାର ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର ଦେଇ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାକୁ ଯୋଡ଼ୁଥିବା ୧୧୧୫ କିଲୋମିଟର ଦୀର୍ଘ ଇଷ୍ଟ-କୋଷ୍ଟ କରିଡର । ସେହିପରି ଇଷ୍ଟ-େଓ୍ଵଷ୍ଟ କରିଡର କଲିକତା ନିକଟସ୍ଥ ଡାଙ୍କୁଣିରୁ ଖଡ଼ଗପୁର ଦେଇ ମହାରାଷ୍ଟ୍ରର ନାଗପୁର ଓ ଭୁସାବଲକୁ ଯୋଡ଼ିବ । ଏହାର ଦୀର୍ଘତା ୧୬୭୩ କିଲୋମିଟର ରହିବ । ଏହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ୧୯୫ କିଲୋମିଟର ଦୀର୍ଘ ରାଜଖରସୁଆଁ-କାଲିପାହାରି-ଅନ୍ଦାଲ ରୁଟ । ୩ୟଟି ହେଉଛି ୯୭୫ କିମି ଲମ୍ବ ନର୍ଥ-ସାଉଥ ସବ-କରିଡର ଯାହାକି ବିଜୟଓ୍ଵାଡ଼ା-ନାଗପୁର-ଇଟାର୍ସିକୁ ଯୋଡ଼ିବ ।

ଏସବୁ ଡେଡିକେଟେଡ ଫ୍ରାଇଟ କରିଡର(ଡିଏଫସି)ଗୁଡ଼ିକ ପୂର୍ବ ଓ ଦକ୍ଷିଣ ଭାରତରେ ଥିବା ବିଭିନ୍ନ ବନ୍ଦର ଯଥା ଓଡ଼ିଶାରଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର,ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଗଙ୍ଗାଭରମ, କାକିନାଡ଼ା, କ୍ରିଷ୍ଣାପଟ୍ଟନମ ଓ ମଚ୍ଛିଲିପଟ୍ଟନମ ବନ୍ଦରକୁ ରେଳ ନେଟଓ୍ଵାର୍କ ସହ ଯୋଡ଼ିବ ।

ସମ୍ବନ୍ଧିତ ଖବର