ବଦ୍ରିନାଥ ଓ କେଦାରନାଥରେ ପ୍ରବଳ ବର୍ଷା ଓ ତୁଷାରପାତ, ଅଟକିଲା ତୀର୍ଥଯାତ୍ରା

ଡେରାଡୁନ : ବଦ୍ରିନାଥ ଓ କେଦାରନାଥ ଧାମରେ ଲଗାଣ ବର୍ଷା ଓ ତୁଷାରପାତ ପ୍ରଶାସନ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ୟା ପାଲଟିଛି । ସୋମବାର ବଦ୍ରିନାଥ ଓ କେଦାରନାଥ ଧାମରେ ପ୍ରବଳ ତୁଷାରପାତ ଓ ବର୍ଷା ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚାରିଧାମ ଯାତ୍ରାକୁ ବନ୍ଦ କରି ଦିଆଯାଇଛି  ଓ  ଯାତ୍ରୀମାନଙ୍କୁ ଶ୍ରୀନଗରରେ ଅଟକାଯାଇଛି ।

ପୌଡ଼ି ଏସଏସପି ଶ୍ୱେତା ଚୌବେ କହିଛନ୍ତି, ବଦ୍ରିନାଥ ଏବଂ କେଦାରନାଥରେ ଲଗାଣ ତୁଷାରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ ବଦ୍ରିନାଥ ଏବଂ କେଦାରନାଥ ଯାଉଥିବା ତୀର୍ଥଯାତ୍ରୀଙ୍କୁ ଶ୍ରୀନଗର ଗଡ଼ୱାଲରେ ଅଟକାଇ ଦିଆଯାଇଛି । ପାଗ ସଫା ନ ହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଶ୍ରୀନଗରରେ ରହିବାକୁ ଅନୁରୋଧ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଠାରେ କେଦାରନାଥ ଓ ବଦ୍ରିନାଥରେ ପ୍ରବଳ ତୁଷାରପାତ ଓ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ, ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବ। ସୋମବାର ମଧ୍ୟ କେଦାରନାଥ ଧାମରେ ପ୍ରବଳ ତୁଷାରପାତ ହୋଇଥିବାରୁ ଏଠାରେ ଶୀତ ବଢ଼ିଛି । ସେପଟେ ବରଫପାତ ଯୋଗୁଁ ରାସ୍ତା ବନ୍ଦ ହେବା ଭୟରେ ଶ୍ରୀନଗରରେ ଯାତ୍ରୀଙ୍କୁ ଅଟକାଇ ଦିଆଯାଇଛି । ପାଗ ଠିକ୍ ନ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଆଗକୁ ନଯିବାକୁ ନିବେଦନ କରାଯାଇଛି ।

ସମ୍ବନ୍ଧିତ ଖବର