ଆକସ୍ମିକ ସାକ୍ଷାତରୁ ରାଜୀବ-ସୋନିଆଙ୍କ ଆଜୀବନ ପ୍ରେମ

କେମ୍ବ୍ରିଜ୍‌(ବ୍ରିଟେନ୍‌) : ୫୬ ବର୍ଷ ତଳେ ଆଜିର ଦିନରେ ଉତ୍ତର ଲଣ୍ଡନଠାରୁ ୮୦ କିମି ଦୂର କେମ୍ବ୍ରିଜ୍‌ ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା ସୋନିଆ ଗାନ୍ଧିଙ୍କର। ୧୯୬୫ ମସିହାର ଫେବ୍ରୁଆରି ମାସର ସେହି ଦ୍ବିତୀୟ ଶନିବାର ଉଭୟଙ୍କର ଆକସ୍ମିକ ସାକ୍ଷାତ ହିଁ ପରବର୍ତ୍ତୀ କାଳରେ ଆଜୀବନ ପ୍ରଣୟରେ ପରିଣତ ହୋଇଥିଲା। ସେତେବେଳକୁ ୧୮ ବର୍ଷର ହୋଇଥିବା କିଶୋରୀ ସୋନିଆ ମାଇନୋ ଇଟାଲିର ତୁରିନ୍‌ ନିକଟ ଓର୍ବାସାନୋ ସହରରୁ ଇଂରାଜୀ ଶିକ୍ଷା ପାଇଁ କେମ୍ବ୍ରିଜ୍‌ ସ୍ଥିତ ସବୁଠୁ ଦାମୀ ତଥା ଖ୍ୟାତନାମା ଲେନ୍ନକ୍ସ କୁକ୍‌ ସ୍କୁଲ୍‌ ଅଫ୍‌ ଲାଙ୍ଗୁଏଜ୍‌ସକୁ ଆସିଥାନ୍ତି। ତେବେ ନିଜର ଖର୍ଚ୍ଚ ଭରଣା କରିବା ପାଇଁ ସୋନିଆ ସେଠାକାର ଖ୍ୟାତନାମା ହୋଟେଲ ଭାର୍ସିଟିରେ ସାମୟିକ ପରିଚାରିକା ଭାବେ କାର୍ଯ୍ୟ କରୁଥାନ୍ତି।

ସେତେବେଳେ ସ୍ଥାନୀୟ ଟ୍ରିନିଟି କଲେଜରେ ପଢ଼ୁଥିବା ୨୦ ବର୍ଷୀୟ ରାଜୀବ ଗାନ୍ଧି ଘଟଣାବହୁଳ ସେହି ଶନିବାର କୌତୂହଳବଶତଃ ବନ୍ଧୁମାନଙ୍କ ସହ ମଉଜମସ୍ତି କରିବା ଲାଗି ଉକ୍ତ ହୋଟେଲକୁ ଯାଇଥାନ୍ତି। ସେଠାରେ ଏହି ଇଟାଲୀ ସୁନ୍ଦରୀଙ୍କୁ ଦେଖିବା ମାତ୍ରେ ହିଁ ରାଜୀବ ପୁଲକିତ ହୋଇପଡ଼ିଥିଲେ ଏବଂ ତାଙ୍କ ମନର ଅଜଣା ଗହ୍ବରରେ ସୋନିଆଙ୍କର ଏକ ଅଲିଭା ଛବି ଆଙ୍କି ହୋଇଯାଇଥିଲା। ସୋନିଆଙ୍କ ସାନ୍ନିଧ୍ୟ ଲାଭ କରିବାକୁ ସେ ଏପରି ବ୍ୟାକୁଳ ହୋଇପଡ଼ିଥିଲେ ଯେ ତତ୍‌କ୍ଷଣାତ୍‌ ତାଙ୍କ ନିକଟରେ ଏକ ଆସନ ବ୍ୟବସ୍ଥା କରିବା ଲାଗି ରାଜୀବ ହୋଟେଲର ମାଲିକ ତଥା ବନ୍ଧୁ ଚାର୍ଲସ ଆଣ୍ଟୋନିଙ୍କୁ କହିଥିଲେ। ଅବଶ୍ୟ ଏଥିପାଇଁ ଆବଶ୍ୟକ ପଡୁଥିବା ମାତ୍ରାଧିକ ଅର୍ଥ ଦେବାକୁ ରାଜୀବ ସମ୍ମତି ପ୍ରଦାନ କରିଥିଲେ। ସୋନିଆଙ୍କ ନିକଟକରେ ବସି ତାଙ୍କ ରୂପରେ ରାଜୀବ ଏପରି ଭାବବିହ୍ବଳ ହୋଇଯାଇଥିଲେ ଯେ ଟିସୁ ପେପର୍‌ରେ ସେ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ମଧ୍ୟ ଲେଖି ପକେଇଥିଲେ। ପରେ ସେହି କବିତା ସମ୍ବଳିତ ଟିସୁ ପେପର୍‌କୁ ସେ ବନ୍ଧୁ ଚାର୍ଲସଙ୍କ ହାତରେ ସୋନିଆଙ୍କ ପାଖକୁ ପଠେଇଥିଲେ। ସୋନିଆ ମଧ୍ୟ ସୁଦର୍ଶନ ଯୁବକ ରାଜୀବଙ୍କ ଚାହାଣୀରେ ବିମୋହିତ ହୋଇଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଜାଗି ଉଠିଥିବା ପ୍ରଣୟ କୌଣସି ସୀମା ସରହଦ ମାନିନଥିଲା।

୧୯୯୨ରେ ପ୍ରକାଶିତ ସୋନିଆଙ୍କ ପୁସ୍ତକ ‘ରାଜୀବ’ରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି, ‘ଅତି ନିକଟରୁ ଆମ ଆଖିର ମିଳନ ହୋଇଥିଲା, ମୋ ହୃଦୟର ସ୍ପନ୍ଦନ ମୁଁ ସେତେବେଳେ ଶୁଣିବାକୁ ପାଇଥିଲି। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ମୁଁ ପଡ଼ିଯାଇଥିଲି। ସେ ମଧ୍ୟ ଅନୁରୂପ ଅନୁଭବ ସାଉଁଟିଥିଲେ ବୋଲି ପରେ କହିଥିଲେ।’ କେମ୍ବ୍ରିଜ୍‌ ରହଣିକାଳ ହିଁ ଉଭୟଙ୍କ ପ୍ରେମକୁ ଅତି ନିବିଡ଼ତର କରିଥିଲା। ସେମାନେ ପରସ୍ପର ଠାରୁ ଅନ୍ୟତ୍ର ରହୁଥିଲେ ବି ମିଶି କରି ନିୟମିତ ସିନେମା ଯିବା, ଉଦ୍ୟାନରେ ଭ୍ରମଣ କରିବା ଓ କ୍ୟାମ୍‌ ନଦୀରେ ନୌବିହାର କରିବା ଆଦି ଅବାଧରେ ହୋଇପାରୁଥିଲା। ସେମାନେ ସେଠାରେ ଏକତ୍ର ସତ୍ୟଜିତ୍‌ ରାୟଙ୍କ ସିନେମା ‘ପାଥେର୍‌ ପାଞ୍ଚାଲି’ ଉପଭୋଗ କରିଥିଲେ। ସେମାନେ ପରସ୍ପରର ଏତେ ଘନିଷ୍ଠ ହୋଇପଡ଼ିଥିଲେ ଯେ କେହି କାହାକୁ ମୁହୂର୍ତ୍ତେ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିଲେ। ଶେଷରେ ଜୀବନସାଥୀ ହେବା ପାଇଁ ଉଭୟ ନିଜ ନିଜର ଘର ଲୋକଙ୍କୁ ଜଣାଇଥିଲେ। ରାଜୀବଙ୍କ ପରିବାର ଏହାକୁ ଗ୍ରହଣ କରିଥିଲେ ଏବଂ ଉଦାରମନା ମାତା ଇନ୍ଦିରା ଗାନ୍ଧି ନିଜ ଭାବୀ ବୋହୂକୁ ଦେଖିବା ଲାଗି ଲଣ୍ଡନ ଗସ୍ତ କରିଥିଲେ। ଅପରପକ୍ଷେ, ସୋନିଆଙ୍କ ପିତା ଷ୍ଟିଫାନୋ ମାଇନୋ ଯଦିଓ ରାଜୀବଙ୍କୁ ଶ୍ରଦ୍ଧା କରୁଥିଲେ ତେବେ ଏକ ରାଜନୀତି ପରିବାରରେ ଝିଅ ଦେବାକୁ ପ୍ରଥମେ ଇଚ୍ଛା କରିନଥିଲେ। ୧୯୬୭ ମସିହାରେ ରାଜୀବ ଭାରତ ଫେରି ଆସିଥିଲେ ଏବଂ ୧୯୬୮ରେ ସୋନିଆ ମଧ୍ୟ ଭାରତ ଆସି ନୂଆଦିଲ୍ଲୀରେ ଅମିତାଭ ବଚ୍ଚନଙ୍କ ପରିବାରରେ ରହିଥିଲେ। ୧୯୬୮ ଫେବ୍ରୁଆରି ୨୫ରେ ଅମିତାଭଙ୍କ ଘରେ ମଧ୍ୟ ଉଭୟଙ୍କର ବିବାହ ଉତ୍ସବ ହୋଇଥିଲା ଏବଂ ଅମିତାଭଙ୍କ ପିତା ହରିବଂଶ ବଚ୍ଚନ କନ୍ୟାଦାନ କରିଥିଲେ। ରାଜୀବଙ୍କ ମୃତ୍ୟୁ ଯାଏ ଦୀର୍ଘ ୨୩ ବର୍ଷ ଧରି ଉଭୟଙ୍କର ଏହି ଦାମ୍ପତ୍ୟ ଜୀବନ ସୁଖମୟ ଥିବା ବେଳେ ଶେଷଯାଏ ସେମାନଙ୍କ ପ୍ରେମ ଅକ୍ଷୁଣ୍ଣ ରହିଥିଲା।

ସମ୍ବନ୍ଧିତ ଖବର