ରାଜ୍ୟସଭାରେ ତିନ୍ ତଲାକ୍ ବିଲ୍ ଉପରେ ଭୋଟ ବେଳେ ହ୍ୱିପ ସତ୍ତ୍ବେ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫ କଂଗ୍ରେସ ସାଂସଦ ଅନୁପସ୍ଥିତ, ଜାରି ହୋଇପାରେ ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସର ହାତ ଛାଡ଼ିବେ କି ସାଂସଦ ରଞ୍ଜୀବ ବିଶ୍ୱାଳ ?  କିଛି ଏଭଳି ଚର୍ଚ୍ଚା ଏବେ ରାଜନୀତି ପାଣିପାଗକୁ ସରଗରମ କରିଛି | କାରଣ ମଙ୍ଗଳବାର ରାଜ୍ୟସଭାରେ ତିନି ତଲାକ ବିଲ ପାରିତ କରାଇବାକୁ ମୋଦୀ ସରକାର ଯୋଜନା କରିଥିଲେ | ଏଥିରେ ସଫଳତା ବି ମୋଦୀ ସରକାର ପାଇଛନ୍ତି | ତେବେ କଂଗ୍ରେସ ପକ୍ଷରୁ ଏହାକୁ ପାରିତ ନ କରାଇବା ପାଇଁ ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଥିଲା | ତେବେ କଂଗ୍ରେସର ୫ ଜଣ ସାଂସଦ ହ୍ୱିପ ସତ୍ୱେ ଗୃହରେ ଉପସ୍ଥିତ ରହି ନ ଥିଲେ | ଏହି ସାଂସଦମନେ ହେଉଛନ୍ତି ବିବେକ ତନାଖା, ପ୍ରତାପ ସିଂହ ବାଜବା, ମୁକୁଟ ମିଥି, ରଞ୍ଜୀବ ବିଶ୍ୱାଳ ଓ ସଞ୍ଜୟ ସିଂ |

ସଞ୍ଜୟ ସିଂ ଏହା ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ | ବିରୋଧୀ ଦଳର ୨୦ ଜଣ ସାଂସଦ ଅନୁପସ୍ଥିତ ରହିବା ଯୋଗୁଁ ସହଜରେ ତିନ୍ ତଲାକ ବିଲ ପାରିତ ହୋଇଯାଇଥିବା ଚର୍ଚ୍ଚା ହେଉଛି | ହ୍ବିପ୍ ଅମାନ୍ୟ କରିଥିବା ହେତୁ  କଂଗ୍ରେସ ଏହି ୫ ସାଂସଦଙ୍କୁ ଜବାବ ମାଗିପାରେ | ଏଠାରେ ସୂଚନା ଥାଉ କି ୨୪୨ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଜେପିର ୭୮ ଏବଂ କଂଗ୍ରେସର ୪୮ ସାଂସଦ ଅଛନ୍ତି।

ବିଲ୍ ପାସ୍‌ କରିବା ପାଇଁ ଏନ୍‌ଡିଏକୁ ୧୨୧ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ୁଥିଲା। କିନ୍ତୁ ବିଲ୍‌କୁ ବିରୋଧ କରୁଥିବା ଅନେକ ଦଳଙ୍କ ଅନୁପସ୍ଥିତି ସରକାରଙ୍କ ପାଇଁ ରାସ୍ତା ସହଜ କରିଦେଇଥିଲା। ବିଜେପି ରାଜ୍ୟସଭାରେ ଉପସ୍ଥିତ ରହିବା ପାଇଁ ନିଜର ସବୁ ସାଂସଦଙ୍କୁ ହ୍ବିପ୍‌ ଜାରି କରିଥିଲା। କକ୍ଷତ୍ୟାଗ ପରେ ଗୃହରେ ଆଜି ମୋଟ ୧୮୩ ସାଂସଦ ରହିଥିଲେ। ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା ।

ସମ୍ବନ୍ଧିତ ଖବର