ଦିଲ୍ଲୀ, ଏନ୍‌ସିଆର୍‌ ଅଂଚଳରେ ବିନା ଭକ୍ତରେ ରଥଯାତ୍ରା

ହଜଖାସ୍‌ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ରଥ ଦର୍ଶନକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀ

ନୂଆଦିଲ୍ଲୀ : କୋଭିଡ୍‌ କଟକଣା ମଧ୍ୟରେ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତୀକାତ୍ମକ ରଥଯାତ୍ରା ଅନୁଷ୍ଠିତ ହୋଇଛି।

ଦିଲ୍ଲୀରେ ଓଡ଼ିଆମାନଙ୍କ ସାମାଜିକ ଓ ସାଂସ୍କୃତିକ ପେଣ୍ଠସ୍ଥଳୀ ହଜଖାସ୍‌ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ନିରାଡ଼ମ୍ବର ଭାବେ ରଥଯାତ୍ରା ପାଳନ କରାଯାଇଥିଲା। ମନ୍ଦିର ପରିସରରେ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବସାଇ ଚତୁଃପ‌ାର୍ଶ୍ବ ପରିକ୍ରମା କରାଯାଇଥିଲା। ମନ୍ଦିରର ସାଧାରଣ ସଂପାଦକ ରବୀନ୍ଦ୍ର ପ୍ରଧାନ ଛେରାପହଁରା କରିଥିଲେ। ମାସ୍କ୍‌ ପିନ୍ଧିବା ସହିତ ସାମାଜିକ ଦୂରତାକୁ ପାଳନ କରି ସୀମିତ ସଂଖ୍ୟାରେ ମନ୍ଦିରର ସେବକ ଓ କର୍ମଚାରୀମାନେ ରଥ ଟାଣିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରଥ ଦର୍ଶନ କରିବାକୁ ହଜଖାସ୍‌ ଶ୍ରୀଜଗନ୍ନାଥ ମନ୍ଦିର ଆସିଥିଲେ। ମନ୍ଦିର ପକ୍ଷରୁ ରଥଯାତ୍ରାକୁ ଘରେ ବସି ଦେଖିବା ପାଇଁ ପରାମର୍ଶ ଦିଆଯିବା ସହିତ କାର୍ଯ୍ୟକ୍ରମର ଫେସବୁକ୍‌ ଲାଇଭ୍‌ କରାଯାଇଥିଲା।

ସେହିଭଳି ଦିଲ୍ଲୀର ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ କାର୍ଯ୍ୟକର୍ତ୍ତା ଓ ସେବକମାନଙ୍କ ଦ୍ବାରା ପ୍ରତୀକାତ୍ମକ ରଥଯାତ୍ରା ପାଳନ କରାଯାଇଥିଲା। ଏତଦ୍‌ବ୍ୟତୀତ ରାଜଧାନୀ ଦିଲ୍ଲୀର ରୋହିଣି, ଝିଲମିଲି କଲୋନି ଏବଂ ଏନ୍‌ସିଆର୍‌ ଅଂଚଳ-ନୋଏଡା, ଗ୍ରେଟର ନୋଏଡା, ଫରିଦାବାଦ ଓ ଗୁରୁଗ୍ରାମରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ କୋଭିଡ୍‌ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯାଇଥିଲା।

ମନ୍ଦିରମାନଙ୍କରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିବା ବେଳେ ମନ୍ଦିରଗୁଡ଼ିକରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ କରୋନା ମହାମାରୀ ଦୂରତା ସୃଷ୍ଟି କରିଥିବା ବେଳେ ଭକ୍ତମାନେ ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର