ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ବିକ୍ଷୋଭ ବାତିଲ କଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ କରିବାକୁ ଥିବା ବିକ୍ଷୋଭକୁ ବନ୍ଦ କରି ଦେଇଛନ୍ତି। ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍ ରାଣା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ଜପ କରିବାକୁ ଧମକ ଦେଇଥିଲେ।  ହେଲେ ଏବେ ଦୁହେଁ ସେଭଳି କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବାର ଯୋଜନା ରହିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ରବିବାର ସନ୍ଧ୍ୟାରେ ମୁମ୍ବାଇରେ ମାଷ୍ଟର ଦୀନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ସେ ପ୍ରଥମ ଲତା ଦୀନାନାଥ ମଙ୍ଗେଶକର ପୁରସ୍କାର ପାଇବେ।

MLA Ravi Rana and his wife MP Navneet Rana (File photo)
indiatoday

ତେବେ ପୂର୍ବରୁ ସାମ୍ବାଦିକମାନଙ୍କୁ ରାଣା କହିଥିଲେ, ଯେଉଁ ହିନ୍ଦୁତ୍ବ ଆଦର୍ଶବାଦ ଆଧାରରେ ଭୋଟ୍‌ ଭିକ୍ଷା କରି ତାଙ୍କ ଦଳ ପାଇଁ ଆସନ ହାସଲ କରିଥିଲେ ଉଦ୍ଧବ ସାହେବ ତାହାକୁ ଭୁଲି ଯାଇଛନ୍ତି। ସେ ବାଲା ସାହେବଙ୍କ ବାଣୀ ଭୁଲି ଯାଇଛନ୍ତି। ତେଣୁ, ବାଲା ସାହେବଙ୍କ ବାଣୀ ସ୍ମରଣ କରାଇ ଦେବା ଲାଗି ଶନିବାର ପୂର୍ବାହ୍ନ ୯ଟା ବେଳେ ଆମେ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ କରିବୁ। ଆମେ ଶନ୍ତିଶୃଙ୍ଖଳାରେ ସେଠାକୁ ଯିବୁ ଏବଂ ମୁମ୍ବାଇବାସୀଙ୍କର କୌଣସି ଅସୁବିଧା କରିବୁ ନାହିଁ।

ତେବେ ଦୁହେଁ ବିକ୍ଷୋଭ କରିବୁ ବୋଲି କହିବା ପରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ପୁଲିସ କର୍ମଚାରୀମାନେ ପହରା ଦେଇଥିଲେ। ଏହା ସହ ଶିବସେନା କର୍ମୀମାନେ ‘ବିଧାୟକ-ସାଂସଦ’ ଦମ୍ପତିଙ୍କ ଦୁଆରେ ପ୍ରତିବାଦ ଆରମ୍ଭ କରିଥିଲେ। ପୁଲିସ ସେମାନଙ୍କୁ ବାହାରକୁ ଛାଡୁ ନ ଥିବା କଥା ଦୁହେଁ ଅଭିଯୋଗ କରୁଥିବା ଭିଡିଓ ମଧ୍ୟ ରବି ରାଣାଙ୍କ ଫେସ୍‌ବୁକରେ ସେୟାର ହୋଇଥିଲା।

ସମ୍ବନ୍ଧିତ ଖବର