ପିଏନବି ଠକେଇ ତଦନ୍ତ ପାଇଁ ରିଜର୍ଭ ବ୍ୟାଙ୍କ ଗଢିଲା ସ୍ୱତନ୍ତ୍ର କମିଟି

ମୁମ୍ବାଇ: ଦେଶରେ ବ୍ୟାଙ୍କ ଠକେଇ ଓ ଅନାଦେୟ ଋଣ ପରିମାଣ ବଢିଚାଲିଥିବାରୁ ବ୍ୟାଙ୍କ ଉଦ୍ୟୋଗ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି । ନିକଟରେ ହୋଇଥିବା ପିଏନବି ଠକେଇ ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ତେବେ କେଉଁ କାରଣରୁ ଏପରି ମାମଲା ବଢିଚାଲିଛି ତାହାର ଅନୁଧ୍ୟାନ କରି ଏକ ରିପୋର୍ଟ ଦେବାକୁ ରିଜର୍ଭ ବ୍ୟାଙ୍କ ମଙ୍ଗଳବାରଦିନ ଏକ କମିଟି ଗଠନ କରିଛି । ରିଜର୍ଭ ବ୍ୟାଙ୍କର ପୂର୍ବତନ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର୍ସ ସଦସ୍ୟ ଓ୍ଵାଇ.ଏଚ.ମାଲେଗାମଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର୍ସ ସଦସ୍ୟ ଭାରତ ଦୋଶି, କାନାରା ବ୍ୟାଙ୍କର ପୂର୍ବତନ ସିଏମଡି ଏସ.ରମନ, ରିଜର୍ଭ ବ୍ୟାଙ୍କ ଇନଫର୍ମେସନ ଟେକନଲୋଜୀ ଲିଃ ର ସିଇଓ ନନ୍ଦକୁମାର ସରଭାଡେ, ରିଜର୍ଭ ବ୍ୟାଙ୍କ ଇଡି ଏ.କେ. ମିଶ୍ର ସଦସ୍ୟ ଅଛନ୍ତି । ଅନାଦେୟ ଋଣ ଓ ଠକେଇ କାରବାର ଉପରେ ଏହି କମିଟି ଅନୁଧ୍ୟାନ କରିବ । ପୁଣି ଏଗୁଡ଼ିକୁ ରୋକିବାର ଉପାୟ କଣ ତାହା ସଂପର୍କରେ ମଧ୍ୟ କମିଟି ସୁପାରିଶ କରିବ । ଅନ୍ୟପକ୍ଷରେ ସ୍ୱିଫ୍ଟ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବାକୁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି । ସ୍ୱିଫ୍ଟ ହେଉଛି ଏକ ପ୍ରକାରର ନିରାପଦ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ଯୋଗାଯୋଗ ବ୍ୟବସ୍ଥା ।

ସମ୍ବନ୍ଧିତ ଖବର