କରୋନା ଟିକାକରଣରେ ରେକର୍ଡ : ଗୋଟିଏ ଦିନରେ ଦିଆଗଲା ୧ କୋଟି ମାତ୍ରା

ନୂଆଦିଲ୍ଲୀ : ଦେଶରେ ଆଜି ରେକର୍ଡ ସଂଖ୍ୟକ କରୋନା ଟିକା ଦିଆଯାଇଛି । ରାତି ୮ଟା ସୁଦ୍ଧା ଦେଶରେ ରେକର୍ଡ ୯୬ ଲକ୍ଷ ୪୩ ହଜାର ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ରାତି ସୁଦ୍ଧା ଏହି ସଂଖ୍ୟା ୧ କୋଟି ଟପିଯିବାର ସମ୍ଭାବନା ରହିଛି । ଗତ କାଲି ଦେଶରେ ପ୍ରାୟ ୬୧ ଲକ୍ଷ ମାତ୍ରା ଟିକା ଦିଆଯାଇଥିଲା ।

ଏ ସମ୍ପର୍କରେ ଟ୍ବିଟ କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟା ସନ୍ତୋଷ ପ୍ରକଟ କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ଦିଆଯିବା ସମଗ୍ର ବିଶ୍ବରେ ଦ୍ବିତୀୟ ବୋଲି କୁହାଯାଉଛି । ଗତ ଜୁଲାଇ ୨୧ରେ ଚୀନ ଗୋଟିଏ ଦିନରେ ପ୍ରାୟ ୨ କୋଟି ୮ ଲକ୍ଷ ମାତ୍ରା ଟିକା ପ୍ରଦାନ କରିଥିଲା । ଅନ୍ୟପକ୍ଷରେ, ଟିକାକରଣ ଦୃଷ୍ଟିରୁ ଚଳିତ ଅଗଷ୍ଟ ମାସ ସବୁଠାରୁ ସଫଳ ମାସର ମାନ୍ୟତା ଲାଭ କରିବାକୁ ଯାଉଛି । କାରଣ ଚଳିତ ମାସରେ ଏପର୍ଯ୍ୟନ୍ତ ୧୫ କୋଟିରୁ ଅଧିକ ମାତ୍ରା ଟିକା ଦିଆଯାଇସାରିଲାଣି । ଗତ ଜୁଲାଇ ମାସରେ ୧୩ କୋଟି ୪୫ ଲକ୍ଷ ଓ ଜୁନରେ ୧୧ କୋଟି ମାତ୍ରା କରୋନା ଟିକା ଦିଆଯାଇଥିଲା । ଦେଶରେ ଏପର୍ଯ୍ୟନ୍ତ ୬୨ କୋଟିରୁ ଅଧିକ ମାତ୍ରା ଟିକା ଦିଆଯାଇସାରିଲାଣି ।

ସମ୍ବନ୍ଧିତ ଖବର