ଭାରତରେ ‘ରେମ୍‌ଡେସିଭିର୍‌’ର ଉପଯୋଗକୁ ଅନୁମତି

ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ସାରା ବିଶ୍ବରେ ପ୍ରତିଷେଧକ ଟିକା ବା ଉପଚାର ପଦ୍ଧତି ବାହାର କରିବାକୁ ଗବେଷଣା ଚାଲିଥିବା ବେଳେ ଭାରତରେ ମଧ୍ୟ ପାରମ୍ପରିକ ଚେରମୂଳି ପ୍ରୟୋଗ ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାଧୁନିକ ଭୂତାଣୁ ପ୍ରତିରୋଧୀ ଔଷଧକୁ ପ୍ରୟୋଗ କରାଯାଉଛି। ପୂର୍ବରୁ ଭୂତାଣୁ ପ୍ରତିରୋଧୀ ବଟିକା ‘ଫାଭିପିରାଭିର୍’ର ନୈଦାନିକ ପରୀକ୍ଷଣ ଜାରି ରହିଥିବା ବେଳେ ନିକଟରେ ଆମେରିକୀୟ କମ୍ପାନି ଜିଲିଆଡ୍ ସାଇନ୍‌ସେସ୍‌ ଦ୍ବାରା ପ୍ରସ୍ତୁତ ‘ରେମ୍‌ଡେସିଭିର୍’ ନାମକ ଅନ୍ୟତମ ଭୂତାଣୁ ବିରୋଧୀ ଔଷଧକୁ ଗୁରୁତର କୋଭିଡ୍-୧୯ ରୋଗୀଙ୍କ ଜରୁରୀକାଳୀନ ଉପଚାର ପାଇଁ ବ୍ୟବହାର କରିବାକୁ ସରକାର ଅନୁମତି ଦେଇଛନ୍ତି। ସାଧାରଣତଃ ଡାକ୍ତରଖାନାରେ ରୋଗୀଙ୍କ ପ୍ରଶିରାରେ ଦିଆଯାଉଥିବା ଏହି ‘ରେମ୍‌ଡେସିଭିର୍’ ଇଞ୍ଜେକ୍ସନକୁ ଆମେରିକାରେ ପ୍ରଥମ କୋଭିଡ୍-୧୯ ଔଷଧ ଭାବେ ପ୍ରୟୋଗ କରିବାକୁ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ଅନୁମତି ଦେଇଥିଲା। ଏହାର ନୈଦାନିକ ପରୀକ୍ଷଣ ବେଳେ ଆଶାନୁରୂପ ଫଳାଫଳକୁ ଭିତ୍ତି କରି ଗତମାସରେ ଜାପାନରେ ମଧ୍ୟ ଏହାର ପ୍ରୟୋଗ ପାଇଁ ଅନୁମତି ମିଳିସାରିଛି। ତେବେ ଅନ୍ୟ କୌଣସି ନିଶ୍ଚିତ ଉପଚାର ପଦ୍ଧତି ନ ଆସିଲା ଯାଏ ବର୍ତ୍ତମାନ ସୁଦ୍ଧା ଆମେରିକା ପରେ ଜାପାନ, ଦକ୍ଷିଣ କୋରିଆ ଓ ଭାରତରେ ‘ରେମ୍‌ଡେସିଭିର୍’କୁ କୋଭିଡ୍-୧୯ର ବିକଳ୍ପ ଔଷଧି ଭାବେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର