କାବୁଲ ବିମାନବନ୍ଦରରେ ରକେଟ୍‌ ବର୍ଷା

ରକେଟ୍‌ ଆକ୍ରମଣକୁ ପଣ୍ଡ କଲା ଆମେରିକା
ଆମେରିକାର ଡ୍ରୋନ୍‌ ଆକ୍ରମଣରେ ୬ ଶିଶୁ ସମେତ ୧୦ ମୃତ
କାର୍ଯ୍ୟାନୁଷ୍ଠାନକୁ ତାଲିବାନର ବିରୋଧ

କାବୁଲ : କାବୁଲ ବିମାନବନ୍ଦରେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କ ଦ୍ବାରା ଚାଲିଥିବା ଉଦ୍ଧାର ପ୍ରକ୍ରିୟାକୁ ରକ୍ତରଂଜିତ କରିବା ପାଇଁ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ସୋମବାର ସକାଳେ ଘନଘନ ରକେଟ୍‌ ମାଡ଼ କରିଛି। ବିମାନବନ୍ଦର ନିକଟବର୍ତ୍ତୀ ଅଂଚଳରୁ ସୋମବାର ସକାଳେ ଲଗାତାର ୫ଟି ରକେଟ୍‌ ଆକ୍ରମଣ ହୋଇଥିଲା। କିନ୍ତୁ ବିମାନବନ୍ଦରରେ ମୁତୟନ ଥିବା ଆମେରିକାର ରକେଟ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ଏହି ରକେଟ୍‌ଗୁଡ଼ିୁନଷ୍ଟ କରିଦେଇଛି। ୪ଟି ରକେଟ୍‌ରେ ଆକାଶରେ ହିଁ ଧ୍ବସ୍ତ ହୋଇଥିବା ବେଳେ ଗୋଟିଏ ‌ରକେଟ୍‌ ଏହାର ଦିଗ ବଦଳାଇ ଜନବସତିରେ ପଡ଼ିବାରୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏହି ରକେଟ୍‌ ଆକ୍ରମଣ ପାଇଁ ଆଇଏସ୍‌-କେ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ଗତକାଲି ମଧ୍ୟ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ ହୋଇଥିଲା। ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୦ ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ୍‌ ପକ୍ଷରୁ ଜାରି ବିବୃତି ଅନୁଯାୟୀ ଗତକାଲି କାବୁଲ ବିମାନବନ୍ଦରକୁ ଆଇଏସ୍‌ ଆତଙ୍କବାଦୀଙ୍କ କାର୍‌ ବୋମା ଟାର୍ଗେଟ୍‌ କରିବାକୁ ଆସୁଥିବା ସୂଚନା ମିଳିବାପରେ ଆମେରିକା ତତ୍‌କ୍ଷଣାତ ଡ୍ରୋନ୍‌ ଆକ୍ରମଣ କରିଥିଲା। ଡ୍ରୋନ୍‌ ଆକ୍ରମଣ ଦ୍ବାରା ଉକ୍ତ ଗାଡ଼ିଟିକୁ ଜନଗହଳିପୂର୍ଣ୍ଣ ଅଂଚଳରେ ଉଡ଼ାଇ ଦିଆଯାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ଓ ୧୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ, ଆମେରିକା ବାୟୁସେନାର ପ୍ରାୟ ୨ ହଜାର ସୈନିକ ବିମାନବନ୍ଦର ଅଂଚଳରେ ରହିଛନ୍ତି ଏବଂ ଆଜି ରାତିରେ ଶେଷ ଉଡ଼ାଣ ପୂର୍ବରୁ ଆତଙ୍କବାଦୀମାନେ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଆଇଏସ୍ -କେ ବିମାନ ବନ୍ଦର ନିକଟବର୍ତ୍ତୀ ଅଂଚଳରୁ ରକେଟ୍‌ ମାଡ଼ କରି ଆମେରିକା ସେନାର କ୍ଷତି ପହଞ୍ଚାଇବାକୁ ଚାହୁଥିବାରୁ ଏଥିପାଇଁ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି । ବିମାନ ବନ୍ଦର ଅଂଚଳରେ ଖୁବ୍‌ ବିପଜ୍ଜନକ ସ୍ଥିତି ଲାଗିରହିଛି ବୋଲି ଆାମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଡ୍ରୋନ୍‌ ଆକ୍ରମଣରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବାପରେ ଆମେରିକା ମଧ୍ୟ ଏହାକୁ ସ୍ବୀକାର କରି ସ୍ଥିତି ଅତି ଜଟିଳ ବୋଲି କହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ମୁଖପାତ୍ର କ୍ୟାପଟେନ ବିଲ୍‌ ଅର୍ବାନ୍‌ ଏକ ବିବୃତି ଜାରି କରି କହିଛନ୍ତି, ଏ ବାବଦରେ ଆମେରିକା ଅଧିକ ତଦନ୍ତ କରୁଛି । ଅନ୍ୟପକ୍ଷେ ରକେଟ୍‌ ଆକ୍ରମଣ ଦ୍ବାରା କୌଣସି ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇନଥିବା ସେ କହିଛନ୍ତି।

ଆତଙ୍କବାଦୀଙ୍କ ରକେଟ୍‌ ଆକ୍ରମଣ ସତ୍ତ୍ବେ କାବୁଲ ବିମାନ ବନ୍ଦରରେ ଆମେରିକାର ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏଥିରେ ‌କୌଣସି ବାଧା ଉପୁଜିନି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଶେଷ କରିଥିବା ଆମେରିକା ଏବେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଜାରି ରଖିଛି। ଅନ୍ୟପକ୍ଷରେ କାବୁଲରେ ଆମେରିକାର ଡ୍ରୋନ୍‌ ଆକ୍ରମଣକୁ ତାଲିବାନ ଜୋର୍‌ଦାର ବିରୋଧ କରିବା ସହ ଆମେରିକାକୁ ପୁଣି ଧମକାଇଛି। ଆଫ୍‌ଗାନ ମାଟିରେ ଏଭଳି ଆକ୍ରମଣ ସମ୍ପୂର୍ଣ୍ଣ ସ୍ବେଚ୍ଛାଚାରିତାର ଉଦାହରଣ ବୋଲି ତାଲିବାନ କହିଛି ଏବଂ ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇ ଦେଇଛି। ଡ୍ରୋନ୍‌ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେବା ପୂର୍ବରୁ ଆମେରିକା ତାଲିବାନକୁ କାହିଁକି ଜଣାଇନଥିଲା ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର