ୟୁରୋପ୍‌ରେ ଏବେ ଭାଇରସ୍‌ର ନୂଆ ହଟ୍‌ସ୍ପଟ୍‌ ରୁଷ୍‌, ୬ ଦିନ ଧରି ରୁଷ୍‌ରେ ୧୦ ହଜାର ମାମଲା

ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୮୭ ହଜାର ଟପିଲା, ଆମେରିକାରେ ମୃତ୍ୟୁସଂଖ୍ୟା ୭୭ ହଜାର ଟପିଲା

ନୂଆଦିଲ୍ଲୀ: ୟୁରୋପ୍‌ରେ ଏବେ ଭାଇରସ୍‌ର ନୂଆ ହଟ୍‌ସ୍ପଟ୍‌ ପାଲଟିଛି ରୁଷ୍‌। ସ୍ପେନ୍‌, ଇଟାଲି ଏବଂ ବ୍ରିଟେନ୍‌ ପରେ ରୁଷ୍‌ରେ ସଂକ୍ରମଣ ମାତ୍ରା ବଢ଼ି ଚାଲିଛି। ଲଗାତାର ୬ ଦିନ ଧରି ରୁଷ୍‌ରେ ୧୦,୦୦୦ରୁ ଅଧିକ ନୂଆ ମାମଲା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ରୁଷ୍‌ରେ ପୁଣି ୧୦ହଜାର ୬୬୯ ମାମଲା ରେକର୍ଡ କରାଯାଇଛି। ଫଳରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୮୭ ହଜାର ୮୫୫ରେ ପହଞ୍ଚିଛି। ୟୁରୋପ୍‌ରେ ଚତୁର୍ଥ ରାଷ୍ଟ୍ର ଭାବେ ରୁଷ୍‌ରେ ସଂକ୍ରମଣ ମାତ୍ରା ସର୍ବାଧିକ ରହିଛି। ସେହିପରି ବ୍ରିଟେନ୍‌ରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପିଛି। ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୬୦ ହଜାର ଟପିଥିବାବେଳେ ଇଟାଲିରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୧୫ ହଜାର ଟପିଛି। ବିଶ୍ବବ୍ୟାପୀ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୩୯ଲକ୍ଷ ୪୨ହଜାର ୩୫୪ରେ ପହଞ୍ଚିଥିବାବେଳେ ୨ଲକ୍ଷ୭୧ହଜାର ୬୩୭ ଜଣଙ୍କ ମୃତ୍ୟୁ ହୋଇଛି। ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ ମୃତ୍ୟୁ ସଂଖ୍ୟା ୭୭ହଜାର ଟପିଛି। ଆମେରିକାରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୨,୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୯୨ହଜାର ୯୦୨ରେ ପହଞ୍ଚିଛି।

ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ ଫେରୋଜୁଦ୍ଦିନ୍‌ ଫେରୋଜ୍‌ କରୋନା ସଂକ୍ରମିତ ହୋଇଛନ୍ତି। ଆଫଗାନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣରେ ଏହାକୁ ସ୍ୱୀକାର କରିଛି। ଆଫଗାନିସ୍ତାନରେ ଏବେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୩,୭୦୦ ଥିବାବେଳେ ୧୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି। ସେହିପରି ଗ୍ରିସ୍‌ର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା କାର୍ଡିଓଲୋଜିଷ୍ଟ୍‌ ପ୍ରଫେସର ଡିମିଟ୍ରିସ୍‌ କ୍ରେମାସ୍ତି‌ନୋସ୍‌ଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ପାକିସ୍ତାନରେ ଗତ ୨୪ ଘଣ୍ଟା‌ ମଧ୍ୟ‌ରେ ୧୭୬୪ ନୂଆ ମାମଲା ରେକର୍ଡ କରାଯାଇଛି। ପାକିସ୍ତାନରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୫ହଜାର ୮୩୭ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୫୯୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର