ଫିନଲାଣ୍ଡ୍‌, ସ୍ବିଡେନ୍‌କୁ ରୁଷ୍‌ର ଧମକ: ନାଟୋ‌ରେ ଯୋଗ ଦେଲେ ପରମାଣୁ ଅସ୍ତ୍ର ମୁତୟନ ହେବ

ମସ୍କୋ : ରୁଷ୍‌ ଆଜି ଏକ କଡ଼ା ଚେତାବନୀ ଦେଇ କହିଛି ଯଦି ଫିନଲାଣ୍ଡ୍‌ ଏବଂ ସ୍ବିଡେନ୍‌ ନାଟୋରେ ଯୋଗ ଦିଅନ୍ତି ତେବେ ବାଲ୍‌ଟିକ୍‌ ସାଗର ଅଞ୍ଚଳରେ ପରମାଣୁ ଅସ୍ତ୍ର ମୁତୟନ ହେବ। ଫିନ୍‌ଲାଣ୍ଡ୍‌ ଏବଂ ସ୍ବିଡେନ୍‌ ଯଦି ଉତ୍ତେଜନା ବୃଦ୍ଧିର କାରଣ ହେବେ ଏବଂ ରୁଷ୍‌ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ ତା’ହେଲେ ବାଲଟିକ୍‌ ପାଇଁ ଅଣ ପରମାଣୁ ଷ୍ଟାଟସ୍‌ ବାଦରେ କୌଣସି କଥାବାର୍ତ୍ତା ହୋଇପାରିବନି ବୋଲି ରୁଷ୍‌ ସୁରକ୍ଷା ପରିଷଦର ଉପମୁଖ୍ୟ କହିଛନ୍ତି। ସ୍ବିଡେନ୍‌ ଏବଂ ଫିନଲାଣ୍ଡ୍‌ ନାଟୋରେ ଯୋଗ ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ରୁଷ୍‌ ଇଜ୍‌କାନ୍ଦର କ୍ଷେପଣାସ୍ତ୍ର, ହାଇପରସୋନିକ୍‌ ଅସ୍ତ୍ର ଏବଂ ପରମାଣୁ ଅସ୍ତ୍ର ସଂପନ୍ନ ଯୁଦ୍ଧ ଜାହାଜ ବାଲଟିକ୍‌ ସାଗର ଅଞ୍ଚଳରେ ମୁତୟନ କରିବ ଏବଂ ନିଜର ସୁରକ୍ଷା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ରୁଷ୍‌ ୟୁକ୍ରେନ୍‌ରେ ଆକ୍ରମଣ କରିବାପରେ ଫିନଲାଣ୍ଡ୍‌ ଏବଂ ସ୍ବିଡେନ୍‌ ଚଳିତ ସପ୍ତାହରେ ନାଟୋର ସୁରକ୍ଷା ହାସଲ ପାଇଁ ବିଚାରବିମର୍ଶ କରୁଥିବା କହିଛନ୍ତି। ଅନ୍ୟପକ୍ଷରେ ରୁଷ୍‌ର ପଶ୍ଚିମ ଭାଗରେ ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାପାଇଁ ପୁଟିନ୍‌ ନିର୍ଦ୍ଦେଶ ଦେଇସାରିଛନ୍ତି ବୋଲି କ୍ରେମଲିନ ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର