ଆଖି ହରାଇପାରନ୍ତି, ଭେଣ୍ଟିଲେଟରରେ ସଲମାନ ରୁଶଦି

ଛୁରି ଭୁସିଥିବା ହଦି ମାତାର କିଏ? ଇରାନରେ ମିଶ୍ର ପ୍ରତିକ୍ରିୟା

ନ୍ୟୁୟର୍କ: ଭାରତ-ଜନ୍ମିତ ବିଶିଷ୍ଟ ବ୍ରିଟିଶ୍‌ ଲେଖକ ସଲମାନ ରୁଶଦି ଶୁକ୍ରବାର ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଆରମ୍ଭ କରିବା ପୂର୍ବରୁ ଜଣେ ଦୁର୍ବୃତ୍ତ ମଞ୍ଚ ଉପରେ ଚଢ଼ି ତାଙ୍କ ବେକ ଓ ପେଟକୁ ଏକାଧିକ ବାର ଛୁରି ଭୁସିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏକ ହେଲିକପ୍ଟରରେ ହସ୍ପିଟାଲ ନିଆଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଏକ ତାଙ୍କର ଗୋଟିଏ ଆଖି ନଷ୍ଟ ହେବାର ସମ୍ଭାବନା ଥିବା କୁହାଯାଉଛି। ରୁଶଦିଙ୍କ ଏଜେଣ୍ଟଙ୍କ କହିବା ଅନୁସାରେ ଅନେକ ଘଣ୍ଟାର ଅପରେସନ ପରେ ରୁଶଦିଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତର ସବୁ ପ୍ରକାର ଯତ୍ନ ନେଉଥିଲେ ମଧ୍ୟ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇପାରେ। ଆତତାୟୀ ତାଙ୍କ ପେଟକୁ ଛୁରାମାଡ଼ କରିବା ଫଳରେ ୭୫ ବର୍ଷୀୟ ରୁଶଦିଙ୍କ ଯକୃତ କ୍ଷତିଗ୍ରସ୍ତ ହୋଇଛି। ରୁଶଦି ତାଙ୍କ ପୁସ୍ତକ ‘ଦ ସାଟାନିକ୍ ଭର୍ସେସ୍’ ପାଇଁ ବିବାଦୀୟ ହୋଇଥିଲେ। ଚରମପନ୍ଥୀ ମୁସଲମାନମାନେ ଏହାକୁ ଈଶନିନ୍ଦାମୂଳକ (ବ୍ଲାସ୍‌ଫେମସ୍) ବୋଲି ଅଭିହିତ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସେଥିପାଇଁ ସେ ୨୦ ବର୍ଷ ହେଲା ଆମେରିକାରେ ରହିଆସୁଛନ୍ତି। ତା’ ପୂର୍ବରୁ ସେ ଇଂଲଣ୍ଡରେ ରହୁଥିଲେ। ଧମକ ସତ୍ତ୍ବେ ୧୯୯୦ ଦଶକରେ ସେ ଅନେକ ଉପନ୍ୟାସ ଲେଖିଛନ୍ତି। ରୁଶଦିଙ୍କ ଉପରେ ଆକ୍ରମଣକୁ ବିଶ୍ବର ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଛୁରି ଭୁସିଥିବା ହଦି ମାତାର କିଏ?

ନ୍ୟୁୟର୍କ: ଶୁକ୍ରବାର ନ୍ୟୁୟର୍କଠାରେ ବିଶିଷ୍ଟ ଲେଖକ ସଲମାନ ରୁଶଦିଙ୍କୁ ଛୁରି ଭୁସିଥିବା ୨୪ ବର୍ଷୀୟ ଯୁବକକୁ ନ୍ୟୁୟର୍କ ପୁଲିସ କିଛି ସମୟ ପରେ ଗିରଫ କରିଥିଲା। ଉକ୍ତ ବିଭ୍ରାନ୍ତ ଯୁବକ ଫେୟାର୍‌ଭ୍ୟୁ, ନ୍ୟୁଜର୍ସିର ହଦି ମାତାର ବୋଲି ଚିହ୍ନଟ କରାଯାଇଛି। ନ୍ୟୁୟର୍କ ରାଜ୍ୟ ପୁଲିସର ମେଜର ୟୁଜିନ ଷ୍ଟାନିସ୍‌ଜିଉସ୍କି ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ କାର୍ଯ୍ୟକ୍ରମରେ ସଲମାନ ରୁଶଦିଙ୍କ ସମ୍ପର୍କରେ ଅତିଥି ପରିଚୟ ଦିଆସରିବା ପରେ ଏବଂ ରୁଶଦିଙ୍କ ଭାଷଣ ଆରମ୍ଭ ହେବା ପୂର୍ବରୁ ହଦି ମାତାର ମଞ୍ଚ ଉପରେ ଚଢ଼ି ଲେଖକଙ୍କ ବେକ ଓ ପେଟକୁ ଅତି କମ୍‌ରେ ଥରେ ଲେଖାଏ ଛୁରାମାଡ଼ କରିଥିଲା। କାର୍ଯ୍ୟକ୍ରମର ଆୟୋଜକ ନ୍ୟୁୟର୍କର ଚୌତୌକ୍ବା ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ କହିଛନ୍ତି ଯେ ଆତତାୟୀକୁ ଭିତରକୁ ଆସିବା ପାଇଁ ଜଣେ ପୃଷ୍ଠପୋଷକଙ୍କ ପରି ପାସ୍ ମିଳିଥିଲା। ଏ ବିଷୟରେ ଏବେ ଅନୁସନ୍ଧାନ ଚାଲିଛି। ପ୍ରାଥମିକ ତଦନ୍ତ ଅନୁସାରେ ମାତାରର ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଜଣାପଡ଼ୁଛି ଯେ ସେ ସିଆ ମସୁଲିମ ଉଗ୍ରବାଦର ସମର୍ଥକ। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ (ଆଇଆର୍‌ଜିସି)ର ମଧ୍ୟ ସେ ସମର୍ଥକ। ଆତତାୟୀ ନିଜ ମନକୁ ଏ କାମ କରିଛି କି କାହା ନିର୍ଦ୍ଦେଶରେ କରିଛି ଏବଂ ଏହା ପଛରେ ଆଉ କାହାର ହାତ ଅଛି କି ନାହିଁ ସେ ବିଷୟରେ ତଦନ୍ତ ଅବ୍ୟାହତ ରହିଛି। ରୁଶଦିଙ୍କୁ ସଙ୍ଗେସଙ୍ଗେ ଏକ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଜଟିଳ ରହିଛି। ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇପାରେ ବୋଲି କୁହାଯାଉଛି।

ଇରାନରେ ମିଶ୍ର ପ୍ରତିକ୍ରିୟା

ତେହେରାନ: ପୁସ୍ତକ ‘ଦି ସା‌ଟାନିକ୍ ଭର୍ସେସ୍’ ପାଇଁ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲ୍ଲା ଖୋମିନି ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ଫତୱା ଜାରି କରିବାର ୩ ଦଶନ୍ଧି ପରେ ଶୁକ୍ରବାର ନ୍ୟୁୟର୍କରେ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ଏହାକୁ ନେଇ ଶନିବାର ଇରାନରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆତତାୟୀ ନ୍ୟୁଜର୍ସିର ହଦି ମାତାର ରୁଶଦିଙ୍କୁ ଆକ୍ରମଣ କରିବା ପଛରେ ପ୍ରକୃତରେ କି ଉଦ୍ଦେଶ୍ୟ ଅଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ଇରାନର ଇସଲାମିକ ସରକାର ଏବଂ ଏହାର ସରକାରୀ ମିଡ଼ିଆ କିଛି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି। କିନ୍ତୁ ତେହେରାନରେ କିଛି ଲୋକ ଇସଲାମ ଧର୍ମରେ କାଳିମାଲିପ୍ତ କରିଥିବା ଲେଖକଙ୍କ ଉପରେ ହୋଇଥିବା ଆକ୍ରମଣକୁ ପ୍ରଶଂସା କରିଛନ୍ତି। ରେଜା ଆମିରି ନାମକ ଜଣେ ୨୭ ବର୍ଷୀୟ ଡେଲିଭରି ବୟ କହିଛନ୍ତି ଆକ୍ରମଣରେ ସେ ଖୁସି କାରଣ ଲେଖକ ଇସଲାମ ଧର୍ମକୁ ଅପମାନିତ କରିଥିଲେ। ଅପରପକ୍ଷେ ୩୯ ବର୍ଷୀୟ ଭୂଗୋଳ ଶିକ୍ଷକ ମହସିଦ ବାରାତି କହିଛନ୍ତି ଯେ ଏହି ଘଟଣା ଚୀନ୍ ଓ ରୁଷ୍ ସମେତ ଅନେକ ଦେଶ ସହ ସମ୍ପର୍କରେ ଅବନତି ଆଣିପାରେ।

ଏକ ସଭ୍ୟ ସମାଜରେ ହିଂସାର ସ୍ଥାନ ନାହିଁ: ଆରିଫ ମହମ୍ମଦ ଖାନ୍

ତିରୁଅନନ୍ତପୁରମ୍: ବିବାଦୀୟ ପୁସ୍ତକ ‘ଦ ସାଟାନିକ୍ ଭର୍ସେସ୍‌’ର ଲେଖକ ଭାରତ-ଜନ୍ମିତ ସଲମାନ ରୁଶଦିଙ୍କ ଉପରେ ମରଣାତ୍ମକ ଆକ୍ରମଣକୁ ବିଶ୍ବସ୍ତରରେ ନିନ୍ଦା କରାଯାଉଥିବା ବେଳେ କିଛି ମୁସଲମାନ ଦେଶ ଓ ମୁସଲମାନ ସମ୍ପ୍ରଦାୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ଏକ ସଭ୍ୟ ସମାଜରେ ହିଂସାର ସ୍ଥାନ ନାହିଁ। କେରଳ ରାଜ୍ୟପାଳ ତଥା ଇସଲାମ ସମେତ ବିଭିନ୍ନ ଧର୍ମଶାସ୍ତ୍ରର ବିଦ୍ବାନ୍ ଖାନ୍‌ଙ୍କୁ ପଚରାଯାଇଥିଲା, ଆଜିକାଲି ଈଶନିନ୍ଦା (ବ୍ଲାସ୍‌ଫେମି)କୁ ନେଇ ବହୁ ହିଂସା ଘଟିବାର ଦେଖାଯାଉଛି। ଏ ବିଷୟରେ ତାଙ୍କର ମତ କ’ଣ? ସେ କହିଲେ କୌଣସି ବି ସଭ୍ୟ ସମାଜରେ ହିଂସା ଆଚରଣ କରିବା କିମ୍ବା ଆଇନକୁ ନିଜ ହାତକୁ ନେବାର ଅଧିକାର କାହାର ହେଲେ ନାହିଁ। ଏଭଳି ହୀନ କାର୍ଯ୍ୟର ସର୍ବତ୍ର ନିନ୍ଦା କରାଯିବା ଉଚିତ। ଈଶନିନ୍ଦାକୁ ନେଇ ହିଂସା ଆଚରଣ କରିବା ନିନ୍ଦନୀୟ। ଏହା ‌ପବିତ୍ର କୋରାନର ମୌଳିକ ଶିକ୍ଷାର ବିରୁଦ୍ଧାଚରଣ କରୁଛି। କାରଣ ପବିତ୍ର କୋରାନରେ ଅଛି: ‘turn away from vain talk and say: To us our deeds and to you yours: Peace be on you, we seek not engagement with ignorant (Quran 28.55)’ । ଏଥିରେ ହିଂସା ଆଚରଣ କରିବା ପାଇଁ ପରାମର୍ଶ ଦିଆଯାଇ ନାହିଁ। ଖାନ୍ ପୁଣି କହିଥିଲେ ଏଭଳି ପ୍ରସଙ୍ଗକୁ ବିଭିନ୍ନ ଦଳ ଭୋଟ ବ୍ୟାଙ୍କ ପାଇଁ ରାଜନୈତିକ ପ୍ରସଙ୍ଗ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର