ଶାରଦା ମାଇନ୍ସରୁ ଜିନ୍ଦଲ ଲୁହାପଥର ଉଠାଇବା ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାଵାର (ଜେଏସପିଏଲ) ଶାରଦା ଲୁହା ଖଣି କମ୍ପାନିରୁ ୧୨ ନିୟୁତ ଟନ୍ ଲୁହାପଥର ଉଠାଇବା ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଗତ ଦୁଇଦିନ ଧରି ଏହି ମାମଲାର ଶୁଣାଣି କରିଥିଲେ। ମାମଲା ଶୁଣାଣି ସମୟରେ ଜିନ୍ଦଲ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କହିଥିଲେ ଯେ, କମ୍ପାନିକୁ ୧୨ ନିୟୁତ ଟନ୍ ଲୁହାପଥର ଉଠାଇବା ନେଇ ହାଇକୋର୍ଟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାୟକୁ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିବାରୁ ଲୁହାପଥର ଉଠାଇବା ନେଇ ପ୍ରତିବନ୍ଧକ ଲାଗିରହିଛି। ତେଣୁ ଅତି ଶୀଘ୍ର କମ୍ପାନିକୁ ଲୁହାପଥର ଉଠାଇବାକୁ ନେଇ ଅନୁମତି ଦିଆଯାଉ ବୋଲି ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ, ଶାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ବାରା ୯୩୩ କୋଟି ଟଙ୍କା ଜରିମାନା ଦାଖଲ ପରେ କମ୍ପାନି ଖଣି ଖନନ କାର୍ଯ୍ୟ ଆରମ୍ଭ କରିପାରିବ ବୋଲି ନିର୍ଦ୍ଦେଶ ଦେବା ପରେ କମ୍ପାନି ପକ୍ଷରୁ ଫେବ୍ରୁଆରି ଶେଷ ସୁଦ୍ଧା ସମସ୍ତ ଅର୍ଥରାଶି ପୈଠ କରାଯିବା ନେଇ ଅଣ୍ଡରଟେକିଂ ଦିଆଯାଇଥିଲା। ସେହିଭଳି, ଶାରଦା ମାଇନ୍ସ ଦ୍ବାରା ସମସ୍ତ ଅର୍ଥ ପୈଠ କରାଯିବା ପରେ ଜେଏସପିଏଲକୁ ଅନୁମତି ପ୍ରଦାନ କରାଯିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଜେଏସପିଏକୁ ଶାରଦା ଲୌହଖଣି କମ୍ପାନି ପରିସରରେ ୨୦୧୫ ପୂର୍ବରୁ ଉତ୍ତୋଳନ ହୋଇ ଜମାହୋଇ ରହିଥିବା ୧୨ ମିଲିୟନ ଟନ୍ ଲୁହାପଥରକୁ ପରିବହନ ନ କରିବା ପାଇଁ ଯୋଡ଼ାର ଖଣି-ଉପନିର୍ଦ୍ଦେଶକ ଆଦେଶ ଦେଇଥିଲେ। ଏହି ଆଦେଶକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇ ଜେଏସପିଏଲକୁ ଲୁହା ପଥର ପରିବହନ ପାଇଁ ଅନୁମତି ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ସୁପ୍ରିମକୋର୍ଟ ହାଇକୋର୍ଟର ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର