ଶାରଦା ଚିଟ୍‌ଫଣ୍ଡ ମାମଲା: ସିବିଆଇ ପୂର୍ବତନ କୋଲକାତା ପୁଲିସ କମିସନରଙ୍କୁ ପଚରାଉଚରା ପାଇଁ ସିଆଇଡିର ମୁଖ୍ୟ କାର୍ଯ୍ୟାଳୟ ଗସ୍ତ କରିଛି

କୋଲକାତା: ଶାରଦା ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କ ପିଛା ଛାଡ଼ୁନି  ସିବିଆଇ । ତାଙ୍କୁ ଖୋଜିବା ଲାଗି  ସିବିଆଇ ଶନିବାର ଦିନ ଭବାନୀ ଭବନ୍‌ସ୍ଥିତ କୋଲକାତା ସିଆଇଡିର ମୁଖ୍ୟ କାର୍ଯ୍ୟାଳୟ ଗସ୍ତ କରିଥିଲା। ସିଆଇଡି ଅଧିକାରୀ ରାଜୀବ କୁମାରଙ୍କ ସହିତ ସମ୍ପର୍କରେ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ସିବିଆଇ ଏହି ଗସ୍ତର ଯୋଜନା କରିଥିଲା।

ତେବେ ପୂର୍ବତନ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ଅଫିସ୍‌ ସମନ୍‌ କରି କୋଟିଏ ଟଙ୍କାର ଶାରଦା ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ମାମଲାର ଯାଞ୍ଚ ପାଇଁ ସିବିଆଇ ଅଫିସ୍‌ରେ ହାଜର ହେବାପାଇଁ କହିଥିଲା। କିନ୍ତୁ ରାଜୀବ କୁମାର ସିବିଆଇରେ ହାଜର ହୋଇ ନ ଥିଲେ। ତାଙ୍କ ମୋବାଇଲ୍‌ ଫୋନ୍‌ ବି ବନ୍ଦ ରଖିଥିଲେ। ପରେ ରାଜୀବ କୁମାର ସିବିଆଇକୁ ଏକ ମେଲ୍‌ କରି ହାଜର ହେବାପାଇଁ ଅଧିକ ସମୟ ମାଗିଥିଲେ। ଏଥରକୁ ମିଶାଇ ତିନି ଥର ରାଜୀବ କୁମାର ସିବିଆଇରେ ହାଜର ହୋଇ ନ ଥିବା ଜଣାଯାଇଛି। ତେଣୁ ରାଜୀବ କୁମାରଙ୍କୁ ଗିରଫ କରିବାକୁ ସିବିଆଇ ଯୋଜନା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଶାରଦା ଗ୍ରୁପ୍‌ ଅଫ୍‌ କମ୍ପାନି ନାମକ ଏକ ଚିଟଫଣ୍ଡ ସଂସ୍ଥା ଲୋକଙ୍କୁ ପ୍ରଲୋଭନ ଦେଖାଇ ୨୫ଶହ କୋଟି ଟଙ୍କା ଆତ୍ମସାତ କରିଛି । ଏହି ମାମଲାର ତଦନ୍ତ କରୁଥିବା ସମୟରେ ତତ୍କାଳୀନ ପୁଲିସ କମିସନର୍‌ ରାଜୀବ କୁମାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବାର ପ୍ରମାଣ ସିବିଆଇ ପାଖରେ ରହିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର