ଭୀମା-କୋରେଗାଓଁ ହିଂସା ମାମଲା: ସେପଟେମ୍ବର ୧୯ ଯାଏଁ ଗୃହବନ୍ଦୀ ରହିବେ ୫ ସାମାଜିକ କର୍ମୀ, ତଥ୍ୟପ୍ରମାଣ ଯାଞ୍ଚ କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଭୀମା-କୋରେଗାଓଁ ହିଂସା ମାମଲାରେ ସଂପୃକ୍ତି ହେତୁ ଗୃହବନ୍ଦୀ ଥିବା ୫ ଜଣ ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ଦାୟର ହୋଇଥିବା ମାମଲାର ଶୁଣାଣି ସେପ୍ଟେମ୍ବର ୧୯କୁ ବଢାଇ ଦେଇଛନ୍ତି।ଗୃହବନ୍ଦୀ ଥିବା ୫ ସାମାଜିକ କର୍ମୀଙ୍କ ବିରୋଧରେ ତଦନ୍ତକାରୀ ଏଜେନ୍ସିଙ୍କ ପକ୍ଷରୁ ଦାଖଲ ହେବାକୁ ଥିବା ତଥ୍ୟପ୍ରମାଣକୁ ପରଖି ଦେଖିବେ ବୋଲି କୋର୍ଟ କହିଛନ୍ତି।

ଐତିହାସିକ ରୋମିଲା ଥାପର ଓ ଅନ୍ୟ ୪ ଜଣଙ୍କ ଦ୍ୱାରା ଆଗତ ଏହି ମାମଲାର ଚୂଡାନ୍ତ ଶୁଣାଣି ବୁଧବାର କରାଯିବାକୁ ଆବେଦନ ଦେବା ପରେ ସର୍ବୋଚ୍ଚ ଅଦାଲତ ମତ ବ୍ୟକ୍ତ କରିଥିଲେ ଯେ ଯେହେତୁ ଏହା ଏକ ଅପରାଧିକ ମାମଲା ତେଣୁ ଏହାର ବିଚାର ଲାଗି ସମୟ ନିଆଯିବା ବିଧେୟ। ପ୍ରତିଟି ଅପରାଧିକ ମାମଲା ଅଭିଯୋଗ ଉପରେ ଆଧାରିତ ହୋଇଥାଏ, ଏହାର ସତ୍ୟତା ପରୀକ୍ଷା କରାଯିବା ଆବଶ୍ୟକ। ଅଭିଯୋଗ ପଛରେ ସତ୍ୟତାକୁ ପରଖାଯିବା ଏକାନ୍ତ ଆବଶ୍ୟକ ବୋଲି ଅଦାଲତ ମତ ଦେଇଥିଲେ।

ତେବେ ମାଓ ସଙ୍ଗଠନ ସହିତ ସଂପର୍କ ଥିବା ଅଭିଯୋଗ ହେବା ପରେ ଗୃହବନ୍ଦୀ ହୋଇଥିବା ସାମାଜିକ କର୍ମୀମାନଙ୍କ ଗିରଫଦାରୀ ଉପରେ ରୋକ ଲାଗି ସିଧାସଳଖ ସୁପ୍ରିମକୋର୍ଟରେ ଆବେଦନକୁ କେନ୍ଦ୍ର ସରକାରଙ୍କ ଓକିଲ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ପ୍ରତିଟି ମାମଲା ସୁପ୍ରିମକୋର୍ଟକୁ ଆସିବାର ଆବଶ୍ୟକତା ନାହିଁ। ଯଦି ଏହାକୁ ରୋକା ନ ଯାଏ ତେବେ ଦେଶର ସବୁ ମାମଲା ସର୍ବୋଚ୍ଚ ଅଦାଲତକୁ ଆସିବ। ଯେଉଁମାନେ ଏହି ମାମଲା ଦାୟର କରିଛନ୍ତି ସେମାନେ ଏଥିଲାଗି ଉଦ୍ଦିଷ୍ଟ ଅଦାଲତଙ୍କ ନିକଟରେ ଆବେଦନ କରିପାରି ଥାଆନ୍ତେ।

ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍‌.ଖାନ୍‌ଓ୍ଵିଲକର୍‌ ଓ ଜଷ୍ଟିସ ଡି.ଓ୍ଵାଇ.ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି।ଗୃହବନ୍ଦୀ ଥିବା ୫ ସାମାଜିକ କର୍ମୀ ହେଲେ ବାରବରା ରାଓ, ସୁଧା ଭରଦ୍ୱାଜ, ଅରୁଣ ଫେରିରା, ଗୌତମ ନବଲଖା ଓ ଭର୍ଣ୍ଣନ୍‌ ଗୋନସାଲେଭସ୍‌ ।

ସମ୍ବନ୍ଧିତ ଖବର