ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

କୃଷକ ଆନ୍ଦୋଳନର ଅବସାନ ନିମନ୍ତେ ୪ ଜଣିଆ କମିଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କ ଘୋଷଣା

ନୂଆଦିଲ୍ଲୀ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ଅବସାନ ପାଇଁ    ସୁପ୍ରିମକୋର୍ଟ ଆଜି ଏହି ଆଇନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କୃଷକମାନଙ୍କ ଓକିଲ ଏମଏଲ ଶର୍ମା କହିଥିଲେ ଯେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଚାହୁଁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆସୁନାହାନ୍ତି । ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଏଥିପାଇଁ କୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡ଼େ କହିଛନ୍ତି ଯେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ । କୃଷକମାନେ କମିଟି ନିକଟକୁ ଯିବାକୁ ଚାହୁଁ ନାହାନ୍ତି ବୋଲି କରାଯାଉଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅଚଳାବସ୍ଥାକୁ ଦୂର ପାଇଁ ଆଇନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଅଟକାଇ ହେବ ନାହିଁ । ପୁଣି ବିନା କୌଣସି କାରଣ ଥାଇ ସ୍ଥଗିତାଦେଶ ଦେଇହେବ ନାହିଁ । ଏଣୁ ଯେଉଁମାନଙ୍କର ଆଇନକୁ ନେଇ ଆପତ୍ତି ଅଛି, ସେମାନେ କମିଟି ନିକଟକୁ ଯାଆନ୍ତୁ  ।

ସମ୍ବନ୍ଧିତ ଖବର