୨୪ ବର୍ଷ ତଳେ କ୍ଷୀରରେ ପାଣି ମିଶାଇଥିବା ବ୍ୟକ୍ତିଙ୍କୁ ୬ ମାସ ଜେଲ୍‌ ପଠାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୨୪ ବର୍ଷ ତଳେ କ୍ଷୀରରେ ପାଣି ମିଶାଇଥିବା ଦୋଷରୁ ସୁପ୍ରିମ୍‌ କୋର୍ଟ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଛଅ ମାସ ପାଇଁ ଜେଲ୍‌କୁ ପଠାଇ ଦେଇଛନ୍ତି। କ୍ଷୀରର ମାନ ସାମାନ୍ୟ ଗୌଣ ଥିଲେ ବି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ନଭେମ୍ବର ୧୯୯୫ରେ ରାଜ କୁମାର ବିକ୍ରୟ କରିଥିବା ସେ କ୍ଷୀରରେ ୪. ୬% ଚର୍ବି ଏବଂ ୭. ୭% କଠିନ ଅଣଚର୍ବି ଭାଗ ଥିବା କଥା ବିଶ୍ଳେଷଣରୁ ଜଣାପଡ଼ିଥିଲା। ପ୍ରିଜର୍ଭେସନ୍‌ ଅଫ୍‌ ଫୁଡ୍‌ ଆଡଲ୍‌ରରେସନ୍‌ ଆକ୍ଟ୍‌ ଧାର୍ଯ୍ୟ କରିଥିବା କ୍ଷୀରର କଠିନ ଅଣଚର୍ବି ଭାଗ ହେଉଛି ୮. ୫%।

Image Source: Hindustan Times

ଟ୍ରାଏଲ୍‌ କୋର୍ଟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ପରେ ସେସନ୍‌ କୋର୍ଟ ଏବଂ ହାଇକୋର୍ଟ ମଧ୍ୟ ଏହି ରାୟକୁ କାଏମ ରଖିଥିଲେ। ବିଳମ୍ବରେ କ୍ଷୀର ବିଶ୍ଳେଷଣ କରାଯାଇଥିବାରୁ ସେଥିରେ ଥିବା ଅସଙ୍ଗତିକୁ ଗୁରୁତ୍ୱ ଦେବା ଅନୁଚିତ ବୋଲି କୁମାରଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ। ଘଟଣାଟି ୨୪ ବର୍ଷ ତଳେ ଘଟିଥିବାରୁ ଉଦାର ହେବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ତାଙ୍କ ଓକିଲ ଅନୁରୋଧ କରିଥିଲେ।

ଜଷ୍ଟିସ୍‌ ଦୀପକ ଗୁପ୍ତ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଯୁକ୍ତିକୁ ଅଗ୍ରାହ୍ୟ କରି କହିଥିଲେ କି, ସମ୍ବିଧାନ ପ୍ରଣିତ ଏହି ମାନକ ଅନୁସରଣ କରାଯିବା ଉଚିତ।

ଆତ୍ମସମର୍ପଣ କରି କାରାଦଣ୍ଡ ଭୋଗ କରିବାକୁ ଅଦାଲତ କୁମାରକୁ କହିଛନ୍ତି।

ସମ୍ବନ୍ଧିତ ଖବର